ଅଟୋ ଧକ୍କାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ପୋଲିସର ତଦନ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅନ୍ତର୍ଗତ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ମୁଖ୍ୟରାସ୍ତା ବାଲିଜୋଡି – ଚୁଡଙ୍ଗପୁର ରାସ୍ତାରେ ଗୁରୁବାର ବଢିଭୋର ସମୟରେ ଏକ ଅଟୋ ଧକ୍କାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ନୟାଗଡ଼ ସଦରଥାନା ଦେଉଳି ଗ୍ରାମର ସୁଧାକର ସାହୁ ବୋଲି ସୂଚନା ମିଳିଛି । ମୃତ ସୁଧାକର ଭୁବନେଶ୍ୱରରୁ ଚିକିଟି ଆସୁଥିବା ମାଁ ଲକ୍ଷ୍ମୀ( ଓଆର ୨୫ ବି ୧୦୦୧) ବସରେ ଦୀର୍ଘଦିନ ଧରି ଡ୍ରାଇଭର ଭାବେ କାମ କରୁଥିଲେ । ଚିକିଟି ପହଞ୍ଚିବା ପୂର୍ବରୁ ଗ୍ରାମର ରାସ୍ତା ପାର୍ଶ୍ବରେ ଯାଇଥିବା ଏକ ନାଳ ନିକଟରେ ଡ୍ରାଇଭର ଗାଡ଼ି ରଖି ଶୌଚ କରି ଫେରିବା ପରେ ଗାଡ଼ି ପଛପଟେ ରହି ଡ୍ରେସ୍ ପିନ୍ଧୁଥିବା ସମୟରେ ପାଟପୁର ଥାନା ଗଙ୍ଗାପୁରରୁ କିଛି ଶ୍ରମିକଙ୍କୁ ନେଇ ଚିକିଟି ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ବସ୍ ପଛପଟକୁ ଧକ୍କା ଦେଇଥିଲା । ତେବେ ବସ୍ ଡ୍ରାଇଭର ଉଭୟ ଅଟୋ ଓ ବସ୍ ମଧ୍ୟରେ ଚାପି ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଟୋରେ ବସିଥିବା ୪ ରୁ ୫ ଶ୍ରମିକ ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।ଖବର ପାଇ ଘଟଣା ସ୍ଥଳରେ କେ. ନୂଆଗାଁ ଥାନା ପୋଲିସ ପହଞ୍ଚି ମୃତ ଶବ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକେଲ ପଠାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଥିବା ଜଣାପଡିଛି ।


