ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତିରେ ମାନଦଣ୍ଡ କୋହଳ କରାଯାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ସମ୍ପର୍କରେ ପରାମର୍ଶ ବୈଠକ ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶିଷ୍ଟ ରାଜନେତା, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ, ଅଭିଭାବକବୃନ୍ଦ ଓ ୩୦ଟି ଜିଲ୍ଲାର ସଭାପତି ସମ୍ପାଦିକା ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଯୋଗ ଦେଇଥିଲେ । ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଶିଷ୍ଟ ଆଇନ୍ ବିଶେଷଜ୍ଞ ଚିତ୍ତରଞ୍ଜନ ବେହେରା ଯୋଗଦେଇ କହିଲେ ଏ.ଏନ୍.ଏମ୍ମାନଙ୍କ ନିଯୁକ୍ତି ସମ୍ପର୍କରେ ଏନ୍ଏଚ୍ଆରଏମ୍ ଗାଇଡ୍ଲାଇନ୍ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ । ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଯୋଗଦେଇ କହିଲେ ପୂର୍ବରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ରାଜସ୍ୱ ଗ୍ରାମ ଏବଂ ପଞ୍ଚାୟତସ୍ତରରେ ଏ.ଏନ୍.ଏମ୍. ସେଣ୍ଟର କରାଯାଇଥିଲା । ଏବେ ତାହାର ବିଲୟ ଘଟିଥିବାରୁ ଏହାର ପୁନର୍ଗଠନ କରାଯାଇ ପାରିଲେ ନିଯୁକ୍ତି କ୍ଷେତ୍ରରେ କେତେକାଂଶରେ ସହାୟକ ହୋଇପାରିବ । ସ୍ୱାସ୍ଥ୍ୟ ବିଷୟଟି ଉଭୟ କେନ୍ଦ୍ର ଓ ରଜ୍ୟ ସରକାରଙ୍କ ବିଷୟ । ତେଣୁ ଉଭୟ ସରକାର ମିଳିତ ଭାବରେ ପଦକ୍ଷେପ ନେବା ଜରୁରୀ । ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଗୌରାଙ୍ଗ ମହାପାତ୍ର ଓ ପ୍ରଫେସର ଯନ୍ତ୍ରଣା ପରିକ୍ଷୀତ ଉଭୟଙ୍କ ମତରେ ଶିକ୍ଷା ବିଭାଗରେ ନିଯୁକ୍ତି ସମ୍ଭାବନା ରହିଛି ଯଥା କସ୍ତୁରବା ଶିକ୍ଷାଶ୍ରମ, ହଷ୍ଟେଲ, ସ୍ୱଧାରଗୃହ, ସର୍ଟ ଷ୍ଟେ ହୋମ୍, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ଅନ୍ୟାନ୍ୟ ଆଶ୍ରମ ବିଦ୍ୟାଳୟମାନଙ୍କରେ ଏ.ଏନ୍.ଏମ୍ମାନଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଆଇପିଏଚ୍ଏସ୍ ଏବଂ ଏନ୍ଆରଏଚ୍ଏମ୍ ପଲିସ୍ ଅନୁଯାୟୀ ଜନସଂଖ୍ୟା ରେସିଓକୁ ସଂଶୋଧନ କରାଯାଇ ଏକ ହଜାର କିମ୍ବା ଦୁଇ ହଜାର ଜନସଂଖ୍ୟା ଆଧାରରେ ଜଣେ ଏଏନ୍ଏମ୍ ନିଯୁକ୍ତି କରାଯାଇପାରିବ । ବେସରକାରୀ ଡ଼ାକ୍ତରଖାନାମାନଙ୍କରେ ସରକାରୀ ନୀତିନିୟମ ଅନୁଯାୟୀ ନିଯୁକ୍ତି ବ୍ୟବସ୍ଥା କରିବା ଏବଂ ବାର୍ଷିକ ପାସ୍ ଆଉଟ୍ ଅନୁଯାୟୀ ଏବଂ ୨୦୦୬ ମସିହା ଠାରୁ ପାସ୍ ଆଉଟ୍ ହୋଇଥିବା ପ୍ରାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବୟସ ଏବଂ ଅନ୍ୟାନ୍ୟ ମାନଦଣ୍ଡକୁ କୋହଳ କରିବା ତତ୍ସହିତ ଚଳିତବର୍ଷ ଠାରୁ କ୍ୟାମ୍ପସ ସିଲେକ୍ସନ ବ୍ୟବସ୍ଥା ଗ୍ରହଣ କରି ସମସ୍ତଙ୍କୁ ନିୟମିତ ନିଯୁକ୍ତି କରାଯିବ ସମ୍ପର୍କରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁଜାତାରାଣୀ ଦାଶ, ସଚ୍ଚିକାନ୍ତ ପ୍ରଧାନ, ଶୁଭେନ୍ଦୁ ରାୟ, ପି.କେ. ଦାଶ, ସିପିଆଇ (ଏମ୍ଏଲ) ସଦସ୍ୟ ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍) ରାଜ୍ୟ ପରିଷଦର ସୁରେଶ ପାଣିଗ୍ରାହୀ, ଗୌରାଙ୍ଗ ପାଣିଗ୍ରାହୀ, ଆଡ଼ଭୋକେଟ ପ୍ରମୋଦ କୁମାର ସାହୁ, ଶ୍ରୀନିବାସ ମହାନ୍ତି, ବିଭୂତି ଭୂଷଣ ରାୟ, ଉଷାରାଣୀ ବେହେରା, ପ୍ରହଲ୍ଳାଦ ମହାନ୍ତି, ତୁଷାରକାନ୍ତ, ସୁବ୍ରତ କୁମାର ରଥ, ଦୀପା ମହାପାତ୍ର, ସି.ଆର. ବେହେରା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଓ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରସ୍ତୁ୍ତି କରାଯାଇଥିଲା । ଉକ୍ତ ଦାବିପତ୍ର ଆସନ୍ତା ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ପାର୍ଥସାରଥୀ ଜେନା ସୂଚନା ଦେଇଛନ୍ତି । ଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ବିଷ୍ଣୁପ୍ରିୟା ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ୨୫୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଓ ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଦସ୍ୟାମାନେ ଯୋଗଦାନ କରିଥିଲେ ।


