ଅଣ୍ଡରୱାଟର ସେଲ୍ଫି ବଦଳାଇଦେଲା ପରିତ୍ୟକ୍ତ ପୋଖରୀର ରୂପ
ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି । ଲୋକେ ଏଠାରେ ଅଣ୍ଡର ୱାଟର ସେଲ୍ଫି ନେବା ପରେ ଏହାର ରୂପ ରଙ୍ଗ ବଦଳି ଗଲା । ଖାଲି ରୂପ ରଙ୍ଗ ବଦଳିନି, ଗାଁ ଲୋକଙ୍କ ରୋଜଗାରର ଏହା ମାଧ୍ୟମ ବି ପାଲଟିଛି । ପ୍ରତି ପରିବାର ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଏପରି ଏକ ପୋଖରୀ ରହିଛି ଇଣ୍ଡୋନେସିଆରେ । ଟୁରିଷ୍ଟ ଡେଷ୍ଟିନେଶନର ଇନ୍ଷ୍ଟାଗ୍ରାମରେ ପ୍ରାୟ ୪୦ ହଜାର ଲୋକ ଏହାକୁ ଫଲୋ କରୁଛନ୍ତି । ପୂର୍ବରୁ ଗରିବ ଏବଂ ଅପରିଷ୍କାର ଗାଁ କୁହାଯାଉଥିବା ଏହି ଅଞ୍ଚଳକୁ ଅଣ୍ଡର୍ ୱାଟର ସେଲ୍ଫି ନେବା ପାଇଁ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଜୁନୈଦୀ ମୂଲ୍ୟୋନୋ ନାମକ ଜଣେ ବ୍ୟକ୍ତି ଏହି ପ୍ରୋଜେକ୍ଟ ତିଆରି କରିଛନ୍ତି । ଜୁନୈଦୀ ଯେତେବେଳେ ପଢୁଥିଲେ, ସେତେବେଳେ ଏହି ଗାଁକୁ ଯିବା ପାଇଁ ସୁଯୋଗ ମିଳିଥିଲା । ଏହି ପୋଖରୀକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ । ଏହି ପୋଖରୀର ଲମ୍ବ ୨୦ ମିଟର ଏବଂ ଚଉଡ଼ା ୫୦ ମିଟର । ଯାହାର ବ୍ୟବହାର କେବଳ ଶୌଚ ପାଇଁ କରାଯାଉଥିଲା । ବର୍ତ୍ତମାନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏବେ ପୋଖରୀର ନାଁ ବଦଳାଇ ତିର୍ତା ଟେମ୍ପୁଲ୍ ରଖାଯାଇଛି ।


