ମା’ ବିମଳା ପାଦ ପୀଠାଧୀଶ୍ୱରୀ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ବିଶ୍ୱ ବନ୍ଦନୀୟ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ଏହି ସଂସ୍କୃତିରେ ବିଭିନ୍ନ ମତବାଦ ଓ ସର୍ବଧର୍ମ ସମନ୍ୱୟର ଅପୂର୍ବ ମିଳନ ଦେଖିବାକୁ ମିଳେ ଏବଂ ତତ୍ ସହିତ ବୈଦିକ ରୀତିନୀତିର ଉପାସନା ଓ ତନ୍ତ୍ରର ବିଧି ବିଧାନ ଆଦି ପ୍ରଚଳିତ ରହିଛି। ଯଦି ଏହି ସଂସ୍କୃତିର ଅତୀତକୁ ଦେଖାଯାଏ, ତେବେ ଆମେ ଜାଣିପାରିବା ଯେ, ଶାବର ତନ୍ତ୍ର ଏ ସଂସ୍କୃତିର ଏକ ଅଂଶ ବିଶେଷ ହୋଇ ରହିଥିଲା। ଯାହାକୁ ପ୍ରମାଣିତ କରିଛନ୍ତି ଅନେକ ସଂସ୍କୃତିକ ଗବେଷକ । ଏହି ଗବେଷକମାନଙ୍କ ମତ ଅନୁଯାୟୀ ବହୁ ବର୍ଷ ଧରି ନୀଳାଚଳ କ୍ଷେତ୍ରଟି ତାନ୍ତ୍ରିକମାନଙ୍କ ସାଧନାର ପୀଠସ୍ଥଳୀ ହୋଇ ରହିଥିଲା। ସେଭଳି ତାନ୍ତ୍ରିକ ଗ୍ରନ୍ଥ ‘ତନ୍ତ୍ର ଚୂଡ଼ାମଣି’ ଅନୁସାରେ ଶ୍ରୀକ୍ଷେତ୍ର ହେଉଛି ଏକ ପ୍ରଧାନ ଶକ୍ତିପୀଠ । ଯେଉଁଠି ମା’ ବିମଳା ହେଉଛନ୍ତି ‘ଭୈରବୀ’ ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି ‘ଭୈରବ’। ଶୈବ ଓ ଶାକ୍ତ ତନ୍ତ୍ର ପରମ୍ପରାର ମତାନୁସାରେ ଭୈରବ ହେଉଛନ୍ତି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଜାଗ୍ରତ ଦେବତା । ସେ ଭଗବାନ ଶିବଙ୍କର ଏକ ପ୍ରଳୟଙ୍କାରୀ ତଥା ଭୟଙ୍କର ସ୍ୱରୂପ । ଭୈରବ ତାନ୍ତ୍ରିକ ସାଧନାରେ ସେ ସର୍ବୋଚ୍ଚ ସିଦ୍ଧିଦାତା ଏବଂ ସମସ୍ତ ଶକ୍ତି ପୀଠର ରକ୍ଷକ ଭାବେ ପୂଜିତ। ଶାସ୍ତ୍ରାନୁଯାୟୀ ବ୍ରହ୍ମାଙ୍କର ଅହଂକାର ଚୂର୍ଣ୍ଣ କରିବା ପାଇଁ ଭଗବାନ ଶିବଙ୍କ କ୍ରୋଧରୁ ଏହି ଭୈରବଙ୍କ ଆବିର୍ଭାବ ହୋଇଥିଲା । ସେ ପ୍ରମୁଖ ଶକ୍ତିପୀଠ ଗୁଡିକରେ ଭୈରବୀଙ୍କ ସହିତ ରକ୍ଷାକର୍ତ୍ତା ଭାବେ ଅବସ୍ଥାନ କରିଥାନ୍ତି। ଏଣୁ କୁହାଯାଇଛି:-
ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରଵଃ।
ଲୋକନାଥ ଶିବୋମତ୍ର ତୀର୍ଥରାଜ ମହୋଦଧିଃ।।
ଅର୍ଥାତ୍:- ପାବନ ଶ୍ରୀକ୍ଷେତ୍ରରେ ମାତା ବିମଳା ହେଉଛନ୍ତି ସାକ୍ଷାତ ‘ଭୈରବୀ’ ବା ଶକ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏଠି ସ୍ୱୟଂ ‘ଭୈରବ’ ବା ଶିବ। ଏହି କ୍ଷେତ୍ରର ରକ୍ଷକ ଭାବେ ପ୍ରଭୁ ଶ୍ରୀଲୋକନାଥ ବିରାଜମାନ କରିଛନ୍ତି। ତତ୍ ସହିତ ଏଠାରେ ଥିବା ବିଶାଳ ସମୁଦ୍ର (ମହୋଦଧି) ତୀର୍ଥରାଜ ଅଟନ୍ତି।
ତନ୍ତ୍ର ଚୂଡ଼ାମଣି ହେଉଛି ଭାରତୀୟ ଶକ୍ତି ସାଧନା, ଶାକ୍ତ ପରମ୍ପରା ଓ ତାନ୍ତ୍ରିକ ଭୂଗୋଳ ଉପରେ ଆଧାରିତ। ଏହା ଏକ ଅତ୍ୟନ୍ତ ପ୍ରାଚୀନ ଏବଂ ପ୍ରମାଣିକ ସଂସ୍କୃତ ତନ୍ତ୍ର ଗ୍ରନ୍ଥ । ଏହି ଗ୍ରନ୍ଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ପୀଠନିର୍ଣ୍ଣୟ’ ବା ‘ମହାପୀଠନିର୍ଣ୍ଣୟ’, ଯେଉଁଥିରେ ସତୀଙ୍କ ଅଙ୍ଗପାତ ଅନୁସାରେ ଭାରତବର୍ଷର ପ୍ରମୁଖ ଏକାବନଟି ଶକ୍ତିପୀଠର ସଠିକ୍ ବିବରଣୀ ଦିଆଯାଇଛି । ସେଥି ମଧ୍ୟରୁ ପୁରୁଷୋତ୍ତମ କ୍ଷେତ୍ର ଅନ୍ୟତମ। ଯେଉଁଠି ସତୀଙ୍କ ବାମ ପାଦର ବୃଦ୍ଧ ଆଙ୍ଗୁଳିଟି ପତିତ ହୋଇଥିଲା। ତେଣୁ ଏହି ପୀଠର ଅଧିଶ୍ୱରୀ ଦେବୀ ବିମଳାଙ୍କୁ ପାଦ ପୀଠାଧୀଶ୍ୱରୀ କୁହାଯାଏ। ଉକ୍ତ ପୀଠକୁ ସ୍ପଷ୍ଟ କରିବାକୁ ଯାଇ ବାମଦେବ ସଂହିତାରେ ଦେଵ ଦେଵ ମହାଦେଵ ମା’ ଭଗବତୀ ଆଦିଶକ୍ତି ପାର୍ବତୀଙ୍କୁ କହିଛନ୍ତି ଯେ: ଶଙ୍ଖସ୍ୟା ବରଣେ ଦେବି ପତିତଃ ପ୍ରଥମେ ସ୍ଥିତା ।
ରୋହିଣୀକୁଣ୍ଡ ପାର୍ଲେପି ବିମଳା ନାମ ନାମତଃ ।।
ଏହାର ଅର୍ଥ:- ହେ ମହାଦେବୀ ! ଭଗବତୀ ସତୀଙ୍କ ଶରୀରର ଅଂଶ ପ୍ରଥମେ ଶଙ୍ଖ କ୍ଷେତ୍ର (ଶ୍ରୀକ୍ଷେତ୍ର)ର ଆବରଣ ଭିତରେ ଏବଂ ରୋହିଣୀକୁଣ୍ଡର ପାର୍ଶ୍ୱ ( ଶ୍ରୀମନ୍ଦିରର ନୈରୁତ କୋଣ)ରେ ପଡିବା ପରେ, ତୁମେ ମହାଦେବୀ ବିମଳା ନାମରେ ବିଖ୍ୟାତ ହେଲ।ସେହିପରି ତନ୍ତ୍ରଚୂଡ଼ାମଣି ଗ୍ରନ୍ଥରେ ଦେଖିବାକୁ ମିଳେ:
“ପୁରୁଷୋତ୍ତମେ ପାଦପତନାତ୍ ବିମଳା ଦେବୀ ପ୍ରକୀର୍ତିତା ।
ଭୈରବଃ ଶ୍ରୀଜଗନ୍ନାଥଃ ସର୍ଵସିଦ୍ଧିପ୍ରଦାୟକଃ”।।
ଯା’ର ଅର୍ଥ ପୁରୁଷୋତ୍ତମ କ୍ଷେତ୍ରରେ ଦେବୀ ସତୀଙ୍କ ପାଦ ପତିତ ହୋଇଥିବାରୁ, ସେ ଏଠାରେ ଦେବୀ ‘ବିମଳା’ ନାମରେ ପ୍ରଖ୍ୟାତା ଏବଂ ଭୈରବ ରୂପରେ ଶ୍ରୀଜଗନ୍ନାଥ ସର୍ଵସିଦ୍ଧି ପ୍ରଦାୟକ ଅଟନ୍ତି।

ଆସିକା, ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ