ଅନ୍ତେବାସୀ ୧୦ମ ଶ୍ରେଣୀ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସରେ ୧୦ମ ଶ୍ରେଣୀ ଅନ୍ତେବାସୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶନିବାର ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ ଓ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ମଞ୍ଚାସିନ ଥିଲେ । ଅନ୍ତେବାସୀ ଶିକ୍ଷାର୍ଥୀ ମାନେ ନିଜ ନିଜର ଅନୁଭୁତି ବଖାଣିବା ସହ ଶିକ୍ଷାଦାନ, ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିବା ବିଷୟରେ ହଷ୍ଟେଲ ଦାୟିତ୍ଵ ନିର୍ବାହ କରିଥିବା ଅଧିକାରୀ ମଧୁସୂଦନ ପଣ୍ଡାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ଦିଗରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାର୍ଥୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଏକ ଭାବ ବିହ୍ୱଳ ପରିସ୍ଥିତି ଦେଖାଦେଇଥିଲା । ଶିକ୍ଷକ ସନ୍ତୋଷ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଉପେନ୍ଦ୍ର କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।


