ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ଦେଶୀ ବିଦେଶୀ ମଦ ଜବତ, ୩ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର ସୂଚନା ପ୍ରକାରେ, ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅନ୍ତର୍ଗତ ନାକଡିସରୁ ଗ୍ରାମରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ବବଡିଙ୍ଗିଆର ଗୋବିନ୍ଦ ଦିଗାଲଙ୍କ ଘରୁ ୨୫ ଲିଟର ଓ ରାଜିବ ଲୋଚନ ପ୍ରଧାନଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ସେହିଭଳି ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ ନାକଡିସରୁ ଗ୍ରାମର ସୁର୍ଯ୍ୟନାରାୟଣ ପଣ୍ଡାଙ୍କ ପାଖରୁ ୨୪ ବୋତଲ ବିୟର ଜବତ ହୋଇଛି । ଅବକାରୀ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଅବକାରୀ ସବ ଇନସ୍ପେକ୍ଟର ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇ ଥିଲା ।