ଅରୁଣାଚଳ ପ୍ରଦେଶ ଏବଂ ସିକିମକୁ ବିଦ୍ୟୁତ୍ ଯୋଗାଣ ଏବଂ ବିତରଣ ସଂଶୋଧନ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅରୁଣାଚଳ ପ୍ରଦେଶ ଏବଂ ସିକିମକୁ ବିଦ୍ୟୁତ୍ ଯୋଗାଣ ଏବଂ ବିତରଣ ପ୍ରଣାଳୀ ମଜଭୁତ କରିବା ନିମନ୍ତେ ସଂଶୋଧନ ମୂଲ୍ୟ ଅନୁମାନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାକୁ ଅରୁଣାଚଳ ପ୍ରଦେଶ ଏବଂ ସିକିମର ଆର୍ଥିକ ବିକାଶ ଦିଗରେ ଏକ ବିରାଟ ପଦକ୍ଷେପ ବୋଲି କୁହାଯାଇଛି । ଏହା ଅଧୀନରେ ଆନ୍ତଃ ରାଜ୍ୟ ବିଜୁଳି ସରବରାହ ଏବଂ ବିତରଣ ପ୍ରଣାଳୀକୁ ମଜବୁତ କରାଯାଇପାରିବ ଏବଂ ସେଥିପାଇଁ ୯୧୨୯.୩୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅନୁମାନ କରାଯାଉଛି । ଏହି ସଂଶୋଧିତ ଆନୁମାନିକ ରାଶି (ଆରସିଇ)କୁ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଅରୁଣାଚଳ ପ୍ରଦେଶ ଏବଂ ସିକିମ ରାଜ୍ୟରେ ବିଜୁଳି ସରବରାହ ଓ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବ୍ୟାପକ ଯୋଜନା କାର୍ୟ୍ୟକାରୀ କରାଯାଇପାରିବ । ସିକିମ ଏବଂ ଅରୁଣାଚଳ ପ୍ରଦେଶଙ୍କ ସହଯୋଗ ଦ୍ୱାରା ବିଦ୍ୟୁତ୍ ମନ୍ତ୍ରଣାଳୟ ଅଧୀନରେ ସାଧାରଣ କ୍ଷେତ୍ର ଉପକ୍ରମ (ପିଏସୟୁ) ପାୱାରଗ୍ରୀଡ଼ ମାଧ୍ୟମରେ ଏହି ଯୋଜନାକୁ କାର୍ୟ୍ୟାନ୍ୱିତ କରାଯାଉଛି ଏବଂ ସ୍ୱୀକୃତ କାର୍ୟ୍ୟ ନିମନ୍ତେ ଡିସେମ୍ବର ୨୦୨୧ ସୁଦ୍ଧା ତଥା ଅଣ ସ୍ୱୀକୃତ କାର୍ୟ୍ୟ ନିମନ୍ତେ ଆରସିଇର ମଞ୍ଜୁରୀ ଦ୍ୱାର ୩୬ ମାସ ପର୍ୟ୍ୟନ୍ତ ଚରଣବଦ୍ଧ ଭାବେ ଏହି କାର୍ୟ୍ୟ ସମ୍ପୂର୍ଣ୍ଣ (କମିଶନିଂ) କରାଯିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । କମିଶନିଂ ହେବା ପରେ ନବ ନିର୍ମିତ ସରବରାହ ଓ ବିତରଣ ପ୍ରଣାଳୀର ସ୍ୱାମୀତ୍ୱ ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧିତ ରାଜ୍ୟର ଉପକ୍ରମମାନଙ୍କ ଦ୍ୱାରା ସଂପାଦନ କରାଯିବ । ଏହି ଯୋଜନା ଅରୁଣାଚଳ ପ୍ରଦେଶ ଏବଂ ସିକିମର ସାମଗ୍ରିକ ଆର୍ଥିକ ବିକାଶ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚୀତ କରେ ଏବଂ ଏହାର ଉଦ୍ଦେଶ୍ୟ ହେଲା ଦୂରଦୂରାନ୍ତ ସ୍ଥାନରେ ଗ୍ରୀଡ଼ କନେକ୍ଟିଭିଟି ପ୍ରଦାନ କରି ଆନ୍ତଃ ରାଜ୍ୟ ବିଜୁଳି ସରବରାହ ଏବଂ ବିତରଣ ଭିତ୍ତିଭୂମିକୁ ମଜବୁତ କରିବା । ଏହି ଯୋଜନାକୁ କାର୍ୟ୍ୟାନ୍ୱୟନ କରିବା ଦ୍ୱାର ଏକ ବିଶ୍ୱସନୀୟ ଶକ୍ତି ଗ୍ରୀଡ୍ନିର୍ମାଣ ହେବ ଏବଂ ନୂତନ ଭାର କେନ୍ଦ୍ର (ଲୋଡ଼ ସେଣ୍ଟର) ସହିତ କନେକ୍ଟିଭିଟିରେ ସୁଧାର ଆସିପାରିବ । ଏହିଭଳି ଭାବେ ଅରୁଣାଚଳ ପ୍ରଦେଶ ଏବଂ ସିକିମର ଦୂରଦୂରାନ୍ତ ଏବଂ ସୀମାବର୍ତ୍ତୀ କ୍ଷେତ୍ରମାନଙ୍କର ଗ୍ରାମାଞ୍ଚଳ କ୍ଷେତ୍ର ତଥା ପଲ୍ଲୀରେ ବସବାସ କରୁଥିବା ଲୋକମାନେ ଏଥିରୁ ଲାଭାନ୍ୱିତ ହୋଇପାରିବେ ଏବଂ ଏଥିସହିତ ସମସ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କୁ ଗ୍ରୀଡ଼ ସହିତ ଯୋଡ଼ାଯିବା ସହ ସେମାନଙ୍କୁ ଏଥିରୁ ଲାଭ ମିଳିପାରିବ । ଏହି ଯୋଜନା ଏହି ଦୁଇ ରାଜ୍ୟଙ୍କ ପ୍ରତି ବ୍ୟକ୍ତିଙ୍କୁ ବିଜୁଳି ଉପଲବ୍ଧ କରିବା ଓ ତାହାର ଉପଭୁକ୍ତି ବୃଦ୍ଧି ତଥା ସାମଗ୍ରିକ ଆର୍ଥିକ ବିକାଶଯେ ଯୋଗଦାନ କରିପାରିବ । କାର୍ୟ୍ୟାନ୍ୱୟନ ଏଜେନ୍ସିମାନେ ନିଜର ନିର୍ମାଣ କାର୍ୟ୍ୟ ନିମନ୍ତେ ବିପୁଳ ସଂଖ୍ୟାରେ ସ୍ଥାନୀୟ ଶ୍ରମଶକ୍ତିକୁ କାମରେ ରଖୁଛନ୍ତି । ଏହା ଦ୍ୱାରା କୁଶଳୀ ଓ ଅଣକୁଶଳୀ ସ୍ଥାନୀୟ ଲୋକମାନେ ଅଧିକ ସଂଖ୍ୟାରେ ରୋଜଗାରର ଅବସର ମଧ୍ୟ ପାଇପାରିବେ । କାର୍ୟ୍ୟ ଶେଷ ହେବା ପରେ, ନୂତନ ପରିସମ୍ପତ୍ତିର ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ମାନକ ଦଣ୍ଡ ଅନୁସାରେ ଅତିରିକ୍ତ ସ୍ଥାନୀୟ ଶ୍ରମଶକ୍ତିର ଆବଶ୍ୟକତା ପଡ଼ିବ । ଏହା ଦ୍ୱାର ରାଜ୍ୟମାନଙ୍କରେ ସ୍ଥାନୀୟ ରୋଜଗାରର ଅତିରିକ୍ତ ଅବସର ମଧ୍ୟ ସୃଷ୍ଟି ହେବ । ଏହି ଯୋଜନାକୁ ଡିସେମ୍ବର ୨୦୧୪ରେ ବିଦ୍ୟୁତ୍ ମନ୍ତ୍ରଣାଳୟର କେନ୍ଦ୍ରୀୟ ଯୋଜନା ଭାବେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ଏବଂ ଯୋଜନାର ସମ୍ପୂର୍ଣ୍ଣ ଖର୍ଚ୍ଚକୁ ବିଦ୍ୟୁତ୍ ମନ୍ତ୍ରଣାଳୟ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ବହନ କରାଯାଉଛି ।


