ଅଷ୍ଟ୍ରେଲିଆରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଇପିଏଲ୍‌ ଖେଳିସାରି ଦୁବାଇରୁ ବିରାଟ କୋହଲିଙ୍କ ନେତୃତ୍ବାଧୀନ ୨୫ ଜଣିଆ ଶକ୍ତିଶାଳୀ ଭାରତୀୟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଯାଇଛି। ସ୍ବତନ୍ତ୍ର ବିମାନରେ ଯାତ୍ରା କରିଥିବା ଟିମ୍‌ ଇଣ୍ଡିଆ ସିଡ୍‌ନିରେ ପାଦ ଥାପିଛି। ଭାରତୀୟ ଦଳ ସହ ଅଷ୍ଟ୍ରେଲୀୟ ତାରକା ଡେଭିଡ୍‌ ୱର୍ନର, ଷ୍ଟିଭ୍‌ ସ୍ମିଥ୍‌, ପ୍ୟାଟ୍‌ କମିନ୍ସ ମଧ୍ୟ ଦୁବାଇରୁ ସିଡ୍‌ନିରେ ପହଞ୍ଚିଛନ୍ତି। ଆଇପିଏଲ୍‌ରୁ ଫେରିଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ନଭେମ୍ବର ୨୨ ତାରିଖରୁ ଜାତୀୟ ଶିବିରରେ ଯୋଗଦେ‌ଇ ଅଲଗା ଅଲଗା ଭାବେ ପ୍ରଶିକ୍ଷଣ ନେବେ। ନଭେମ୍ବର ୨୭ରୁ ଜାନୁଆରି ୧୯ ତାରିଖ ମଧ୍ୟରେ ଭାରତୀୟ ଦଳର ୨ ମାସିଆ ଅଷ୍ଟ୍ରେଲିଆ ଗସ୍ତରେ ୩ ଲେଖାଏଁ ଦିନିକିଆ ଓ ଟି-୨୦ ବ୍ୟତୀତ ୪ ଟେଷ୍ଟ୍‌ ଖେଳିବ। ଡିସେମ୍ବର ୧୭ରୁ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ଅଷ୍ଟ୍ରେଲିଆ ସରକାରଙ୍କ କରୋନା ଜନିତ ଭ୍ରମଣ କଟକଣା ନିୟମାବଳୀ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଦେଶରେ ପ୍ରବେଶ କରିବା ମାତ୍ରେ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିବ। ସେହି ଦୃଷ୍ଟିରୁ ଭାରତୀୟ ଦଳୀୟ କର୍ତ୍ତୃପକ୍ଷ ପିତୃତ୍ବ ଲାଭ ପରେ କୋହଲି ଶେଷ ଦୁଇ ଟେଷ୍ଟ୍‌ ଖେଳିବାକୁ ପୁନର୍ବାର ଅଷ୍ଟ୍ରେଲିଆ ଯିବା ସମ୍ଭବ ନୁହେଁ ବୋଲି ଗ୍ରହଣ କରିନେଇଛି। ତେବେ ସଂଗରୋଧ ଅବଧି ମଧ୍ୟରେ ଭାରତୀୟ ଦଳ ସିଡ୍‌ନିରେ ନଭେମ୍ବର ୧୪ ତାରିଖରୁ ପ୍ରଶିକ୍ଷଣ ଆରମ୍ଭ କରିବାର ସୁଯୋଗ ପାଇବ। ସଂଗରୋଧ ଅବଧି ମଧ୍ୟରେ ଅଧିନାୟକ କୋହଲିଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତାଙ୍କୁ ରହଣୀ ପାଇଁ ପୁଲ୍‌ମାନ୍‌ ହୋଟେଲ କର୍ତ୍ତୃପକ୍ଷ ରଗ୍‌ବି କିଂବଦନ୍ତି ବ୍ରାଡ୍‌ ଫିଟ୍‌ଲରଙ୍କ ସୁଟ୍‌ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଳିମାନଙ୍କ ପରିବାରକୁ ଅନୁମତି ମିଳିନଥିଲା ବେଳେ ନ୍ୟୁସାଉଥ୍‌ ୱେଲ୍‌ସ ସରକାର ଏବେ ଅଳ୍ପ କେତେକ ଖେଳାଳିଙ୍କ ପରିବାରକୁ ଅନୁମତି ଦେଇଛନ୍ତି। ଅନୁମତିପ୍ରାପ୍ତ ଖେଳାଳିଙ୍କ ପରିବାର ମଧ୍ୟ କରୋନା ପ୍ରୋଟୋକଲ୍‌ ମାନିବାକୁ ବାଧ୍ୟ ବୋଲି ସ୍ପଷ୍ଟ କରାଯାଇଛି।ତେବେ କୋହଲି ପ୍ରଥମ ଟେଷ୍ଟ୍‌ ଖେଳିସାରି ପିତୃତ୍ବ ଲାଭ ପାଇଁ ଭାରତ ଫେରିଆସିବାକୁ ଥିବାରୁ ଟେଷ୍ଟ୍‌ ଦଳ‌ରେ ନଭେମ୍ବର ୯ ତାରିଖରେ ସାମିଲ ହୋଇଥିବା ରୋହିତ ଶର୍ମା ଦୁବାଇରୁ ସ୍ବଦେଶ ଫେରିଆସିଛନ୍ତି। ରୋହିତ ଆଇପିଏଲ୍‌ ବେଳେ ଆହତ ହୋଇଥିବାରୁ ସେ ଦଳ ସହ ଅଷ୍ଟ୍ରେଲିଆ ଯାଇନାହାନ୍ତି। ବେଙ୍ଗାଲୁରୁ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ସ୍ବାସ୍ଥ୍ୟଗତ ସମସ୍ୟା ସୁଧାରିବେ। ସେଠାରେ ତାଙ୍କ ଫିଟ୍‌ନେସ୍‌ ପ୍ରମାଣିତ ହେଲେ ରୋହିତ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଯିବେ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କହିଛି। ରୋହିତ ଦୀପାବଳି ପରେ ପରେ ଏନ୍‌ସିଏରେ ଯୋଗଦେବେ। ଭାରତୀୟ ଦଳ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଭାରତ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଦ୍ବିତୀୟ ଅଭ୍ୟାସ ମ୍ୟଚ୍‌ ଡିସେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ। ଏହି ଦୁଇଟି ଅଭ୍ୟାସ ମ୍ୟାଚ୍‌ ଟି-୨୦ ଶୃଙ୍ଖଳା ମଧ୍ୟରେ ଖେଳାଯିବାକୁ ଥିବାରୁ କେବଳ ଟେଷ୍ଟ୍‌ ବିଶେଷଜ୍ଞମାନେ ହିଁ ଖେଳିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ