ଅସାମାଜିକ ଯୁବକଙ୍କୁ ଛୁରି ଭୂଷି ହତ୍ୟା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ଜୁଆ ଆଡ୍ଡା ପରିଚାଳନା ଓ ବଟି ଆଦାୟକୁ କେନ୍ଦ୍ରକରି ଜଣେ ଅସାମାଜିକ ଯୁବକଙ୍କୁ ବିପକ୍ଷ ଗୋଷ୍ଠୀର କିଛି ଯୁବକ ଶନିବାର ସକାଳେ ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ବନ୍ଥପଲ୍ଲୀ ଗାଁର ବଚ୍ଚନ ସ୍ୱାଇଁ । ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ହତ୍ୟା କରାଯାଇଥିବା ବଚ୍ଚନଙ୍କ ଭାଇ ପୋଲିସ ନିକଟରେ ବୟାନ ଦେଇଛନ୍ତି । ଗାଁ ମଣ୍ଡପରେ ବଚ୍ଚନ ତାଙ୍କ କିଛି ଯୁବକଙ୍କ ସହ ସକାଳ ପ୍ରାୟ ୭ ଟାରେ ବସି ଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ୪ ଯୁବକ ଘଟଣା ସ୍ଥଳରେ ପହଞ୍ଚି ବଚ୍ଚନଙ୍କୁ ଘେରି ଯାଇ ପ୍ରଥମେ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ବଚ୍ଚନ ଜୀବନ ବିକଳରେ ଗାଁ ରାସ୍ତାରେ ଦୌଡିବା ବେଳେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗାଁ ରାସ୍ତାରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ସେ ଗାଁ ରାସ୍ତାରେ ପଥର ଝୁଣ୍ଟି ତଳେ ପଡିଯିବାରୁ ଜଣେ ଯୁବକ ବଚ୍ଚନଙ୍କ ପେଟକୁ ଏକାଧିକ ଥର ଛୁରୀରେ ଭୁଷିବାରୁ ସେ ସଂଜ୍ଞାହୀନ ଅବସ୍ଥାରେ ଛଟପଟ ହେଉଥିଲେ । ଖବରପାଇ ବଚ୍ଚନଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଗାଁରୁ ଫେରାର ହେବା ପାଇଁ ସୁଯୋଗ ଉଣ୍ଡୁଥୁବା ଅଭିଯୁକ୍ତ ୨ ଭାଇ କଙ୍ଗୁରୁ ଭୁୟାଁ, ସୁଶାନ୍ତ ଭୁୟାଁଙ୍କୁ ଥାନାକୁ ଉଠାଇ ଆଣି ମାରାଥନ ଜେରା ଚଳାଇଛନ୍ତି । ବଚ୍ଚନ ଙ୍କ ନାଁରେ ଦିଗପହଣ୍ଡି ଥାନା ସମେତ ବ୍ରହ୍ମପୁର ସଦର ଥାନା ଏବଂ ଗୋଳନ୍ଥରା ଥାନାରେ ୨୦ ରୁ ଉର୍ଦ୍ଧ୍ବ ହତ୍ୟା, ହତ୍ୟା ଉଦ୍ୟମ,ରାହାଜାନୀ, ଛିନ୍ ତାଇ, ଡକାୟତି, ଦାଦା ବଟି ପାଇଁ ବୋମା ମାଡ଼ ପ୍ରଭୃତି ସଙ୍ଗୀନ ମାମଲା ରହିଥିବା ଜଣାପଡିଛି । ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ସହ ଆଇ.ଆଇ.ସି ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଛନ୍ତି । ସୂଚନା ଯୋଗ୍ୟ ଏହିକି ଯେ, ଗତ ୨୦୧୪ ମସିହାରେ ଗାଁରେ ଦାଦାବଟି ଆଦାୟକୁ କେନ୍ଦ୍ରକରି ରାମ ପାଢ଼ୀ ନାମକ ଜଣେ ବ୍ୟକ୍ତି ଙ୍କୁ ଗାଁରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସେହି ମାମଲାରେ ବଚ୍ଚନଙ୍କ ସମେତ ତାଙ୍କ ଭାଇ ପ୍ରମୁଖ ସାକ୍ଷ୍ୟ ଥିଲେ । କୋର୍ଟରେ ସାକ୍ଷ୍ୟ ପ୍ରଦାନ ନ କରିବାକୁ ଅଭିଯୁକ୍ତ ୨ ଭାଇ ବଚ୍ଚନଙ୍କ ଉପରେ ଚାପ ପକାଇ ଆସୁଥିଲେ । ବଚ୍ଚନଙ୍କୁ ଶୁକ୍ରବାର ରାତିରେ ସେମାନେ କୌଶଳ କରି ଗାଁରୁ କେଉଁ ଏକ ଅଜଣା ସ୍ଥାନକୁ ଡକାଇ ମାଂସ ଭୋଜି କରିବା ସହ ପ୍ରଚୁର ମଦ ପିଆଇ ଥିଲେ । ସେଠାରେ ହିଁ ତାଙ୍କୁ ହତ୍ୟା କରିବା ପାଇଁ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବଚ୍ଚନ ଏନେଇ ସୁରାକ ପାଇବା ପରେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଡକାଇ ସେଠାରୁ କୌଶଳ କ୍ରମେ ଖସି ଆସିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅପରପକ୍ଷରେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା କରି ପୋଲିସ ସବିଶେଷ ସୂଚନା ଦେବାକୁ ମନା କରିଦେଇଛନ୍ତି ।


