ଆଇଟିଆଇ ଛକ ନିକଟ ଜଳସେଚନ ବିଭାଗ ଜମିରେ ପ୍ରତିଷ୍ଠା ହେବ ‘ଜୁଡିସିଆଲ ହବ୍’
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ନିରନ୍ତର ପ୍ରଚେଷ୍ଟା ପାଇଁ ବାଲେଶ୍ୱର ସହରର ଆଇଟିଆଇ ଛକ ନିକଟ ଜଳସେଚନ ବିଭାଗ ଜମିରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ବାସ୍ତବ ରୂପ ନେବାକୁ ଯାଉଛି । ସମ୍ପ୍ରତି ବାଲେଶ୍ୱରର ବିଚାର ବିଭାଗୀୟ କାର୍ଯ୍ୟ ସ୍ଥାନୀୟ କଚେରୀ ବଜାରର ସ୍ୱଳ୍ପ ସ୍ଥାନରେ ସମ୍ପାଦିତ ହେଉଥିବା ବେଳେ ଅତ୍ୟଧିକ ଗହଳି ଯୋଗୁଁ ଦୈନନ୍ଦିନୀ କାର୍ଯ୍ୟ ପରିଚାଳନାରେ ଘୋର ସମସ୍ୟା ଦେଖାଦେଉଛି । ତେବେ ବିଚାର ବିଭାଗର ସମସ୍ତ ଅଦାଲତ ଓ କାର୍ଯ୍ୟାଳୟକୁ ଗୋଟିଏ ସୀମାବଦ୍ଧ ସ୍ଥାନରେ ରଖିବା ଉଦ୍ଦେଶ୍ୟରେ ରେମୁଣା ସ୍ଥିତ ବିଦ୍ୟାଧରପୁର ଠାରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମାତ୍ର ସେହି ସ୍ଥାନ ନିରୂପଣକୁ ବିଭିନ୍ନ ମହଲରୁ ବିରୋଧ ସହ ଆଇଟିଆଇ ଛକ ନିକଟ ଜଳସେଚନ ବିଭାଗ ଅଧିନରେ ଥିବା ଜମିରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା । ପରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବାଲେଶ୍ୱର ଗସ୍ତ ଅବସରରେ ଜୁଡିସିଆଲ ହବ୍ ପାଇଁ ଆଇଟିଆଇ ଛକ ନିକଟ ଜଳସମ୍ପଦ ବିଭାଗ ଅଧିନରେ ଥିବା ଜମିକୁ ପସନ୍ଦ କରିଥିଲେ । କ୍ରମବର୍ଦ୍ଧିମାନ ତଥା ବିକାଶନ୍ମୁଖୀ ସହର ପାଇଁ ସମ୍ପୃକ୍ତ ସ୍ଥାନଟି ଏକମାତ୍ର ଉପଯୁକ୍ତ ବୋଲି ସାଧାରଣରେ ମଧ୍ୟ ମତ ପ୍ରକାଶ ପାଇଥିଲା । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ଓ ଦୌରା ଜଜ ଏବଂ ଜିଲ୍ଲାପାଳ ଗତ ଅଗଷ୍ଟ ମାସ ୨୦ ତାରିଖରେ ପତ୍ର ସଂଖ୍ୟା ୪୯୪୩ ମାଧ୍ୟମରେ ଜଳସେଚନ ବିଭାଗ ଅଧୀନରେ ଥିବା ଜମିକୁ ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦେଇଥିଲେ । ଜଳସେଚନ ବିଭାଗର ଜମିକୁ ଜୁଡିସିଆଲ ହବ୍ ପ୍ରତିଷ୍ଠା ପାଇଁ ହସ୍ତାନ୍ତର ସହ ବର୍ତ୍ତମାନ ପରିଚାଳିତ ବିଚାର ବିଭାଗ ଅଧିନ ଗୃହଗୁଡିକରେ ଜଳସେଚନ ବିଭାଗକୁ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା ।
ତେବେ ଗତ ୨ ତାରିଖ ବିଧାନସଭାର ପ୍ରଶ୍ନକାଳରେ ଏ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ ସଦର ବିଧାୟକ ଶ୍ରୀ ଦତ୍ତ । ସମ୍ପୃକ୍ତ ଜମି ଅଧିଗ୍ରହଣ ହେବା ପରେ ସରକାର ବାଲେଶ୍ୱରରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସହ ଶ୍ରୀ ଦତ୍ତ ବାଲେଶ୍ୱର ସହରର ଆଇଟିଆଇ ଛକ ନିକଟ ଜଳସମ୍ପଦ ବିଭାଗ ଅଧିନରେ ଥିବା ଜମିରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ । ଏ ଦିଗରେ ଅନ୍ତର୍ବିଭାଗୀୟ ପ୍ରତିବନ୍ଧକ ଦୂର ପାଇଁ ଶ୍ରୀ ଦତ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଆଇନ ବିଭାଗ ପକ୍ଷରୁ ବାଲେଶ୍ୱରରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ନେଇ ବିଧିବଦ୍ଧ ନିଷ୍ପତ୍ତି ସହ ବିଭାଗୀୟ ଜମି ହସ୍ତାନ୍ତର ପାଇଁ ସମ୍ମତି ଦେଇ ସାରିଥିବା ବେଳେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସରକାରୀସ୍ତରରେ ଉଦ୍ୟମ ନିମନ୍ତେ ଶ୍ରୀ ଦତ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନିବେଦନ କରିଥିଲେ ।
ବିଧାୟକ ଶ୍ରୀ ଦତ୍ତଙ୍କ ଦାବିକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ସହ ଅନ୍ତର୍ବିଭାଗୀୟ ପ୍ରତିବନ୍ଧକ ଦୂର ସହ ଆଇଟିଆଇ ଛକ ନିକଟ ଜଳସେଚନ ବିଭାଗ ଜମିରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚ ନ୍ୟାୟାଳୟର ନିର୍ମାଣ କମିଟି ବୈଠକରେ ବାଲେଶ୍ୱରର ଜଳସେଚନ ବିଭାଗ ଜମିରେ ‘ଜୁଡ଼ିସିଆଲ ହବ’ ପ୍ରତିଷ୍ଠା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା । ଏ ନେଇ ଜଳସେଚନ ବିଭାଗ ନାମରେ ରେକର୍ଡଭୁକ୍ତ ଜମିକୁ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହସ୍ତାନ୍ତର ଓ ପରେ ଆଇନ ବିଭାଗ ନାମରେ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପୁନଃସ୍ଥାପନ ଓ ପୁନର୍ବାସ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଉଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରାର (ଭିଜିଲାନ୍ସ)ଙ୍କୁ ଚିଠି ଲେଖିଛନ୍ତି ।ଜମି ହସ୍ତାନ୍ତରଣ ବ୍ୟବସ୍ଥାରେ ଆଇନ ବିଭାଗ ନାମରେ ପଞ୍ଜିକୃତ ଥିବା ବାଲେଶ୍ୱର ସହର ଉପକଣ୍ଠ ବଣପାରିଆ ଗ୍ରାମ ଅଧିନ ୩୩୮ନଂ ଖାତାର ୨.୮୦ଏକର ବିଶିଷ୍ଟ ୨୪୩ନଂ ପ୍ଲଟ ଓ କୁରୁଡା ଗ୍ରାମ ଅଧିନ ୨୦୯ନଂ ଖାତାର ୩ଏକର ବିଶିଷ୍ଟ ୪୦୦/୮୫୩ନଂ ପ୍ଲଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଯିବ, ଯାହା ପରବର୍ତ୍ତୀ ସମୟରେ ଜଳସେଚନ ବିଭାଗ ନାମରେ ପଞ୍ଜିକୃତ ହେବ । ସେହିପରି ଜଳସେଚନ ବିଭାଗ ନିମରେ ପଞ୍ଜିକୃତ ଥିବା ଅଙ୍ଗାରଗଡିଆ ଗ୍ରାମ ଅଧିନ ୫ନଂ ୟୁନିଟ୍ର ୩୮୭ନଂ ଖାତାରେ ଥିବା ୯.୭୩୯ ଏକର ବିଶିଷ୍ଟ ୧୫ଟି ପ୍ଲଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାଧ୍ୟମରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ବାବଦ ଆଇନ ବିଭାଗ ନାମରେ ପଞ୍ଜିକୃତ ହେବ । ତେବେ ଜଳସେଚନ ବିଭାଗ ଜମିରେ ‘ଜୁଡିସିଆଲ ହବ୍’ର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଅଧୁନା ଭାସ୍କରଗଞ୍ଜ ମୌଜା ଅଧିନ ୧୦ନଂ ୟୁନିଟର ୪୧୩ନଂ ପ୍ଲଟରେ କାର୍ଯ୍ୟକ୍ଷମ ଜିଲ୍ଲା ବିଚାର ବିଭାଗୀୟ ଅଦାଲତ ଓ କାର୍ଯ୍ୟାଳୟର ଜମି ଓ କୋଠାଘର ଜଳସେଚନ ବିଭାଗ ନାମରେ ପଞ୍ଜିକୃତ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ଆବେଗକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ‘ଜୁଡିସିଆଲ ହବ୍’ ପ୍ରତିଷ୍ଠା ନେଇ ସରକାରଙ୍କ ତ୍ୱରିତ ପଦକ୍ଷେପ ପାଇଁ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଉଦ୍ୟମ ପାଇଁ ବାଲେଶ୍ୱରବାସୀଙ୍କୁ ପକ୍ଷରୁ ତାଙ୍କୁ ବିଧାୟକ ଶ୍ରୀ ଦତ୍ତ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ବାର ଆସୋସିଏସନର କର୍ମକର୍ତ୍ତା ଓ ବରିଷ୍ଠ ଆଇନଜୀବିଙ୍କ ସହିତ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।