ଆଇନ ଶୃଙ୍ଖଳା ପରିସ୍ଥିତି ଉଦ୍ୱବେଗଜନକ
ବାଲେଶ୍ୱର : ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଡ଼ ବିପର୍ଯ୍ୟସ୍ତ । ସାଧାରଣ ଜନତା ଭୟଭୀତ ଅଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ତଥା ସଦର ବିଧାୟକ ମଦନ ମୋହନ ଦତ୍ତ ଉଦ୍ୱବେଗ ପ୍ରକାଶ କରିଥିଲେ । ବାଲିଆପାଳ ଠାରେ ପୋଲିସ ଯେଉଁ ଭଳି କାର୍ଯ୍ୟ କଲା ସେଥିରେ ସାଧାରଣ ଲୋକଙ୍କ ପୋଲିସ ଉପରୁ ବିଶ୍ୱାସ ହରାଇ ଆଇନକୁ ହାତକୁ ନେବାକୁ ବାଧ୍ୟ ହେଲେ । ବିଜେପି ହିଂସାରେ ବିଶ୍ୱାସ କରେ ନାହିଁ କିନ୍ତୁ ଆଜି ସାଧାରଣ ଲୋକ ପୋଲିସ ପାଖରୁ ନ୍ୟାୟ ନ ପାଇ ହନ୍ତସନ୍ତ ହେଉଛନ୍ତି । ବାଲେଶ୍ୱର ଟାଉନ ଥାନାର ଅଧିକାରିଣୀ କେବଳ ଗାଡି ଚାଳକ ମାନଙ୍କୁ ଧରିବା ଏବଂ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବା ଛଡା ଆଉକିଛି ଜାଣି ନାହାନ୍ତି । ଟାଉନଥାନା ଦଲାଲ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ଟାଉନଥାନା ପାଖାପାଖି ଅଞ୍ଚଳରେ ଦେଶୀମଦ, ଡ୍ରଗ୍ସ, ଗେଇ ଖୁଲମଖୁଲା ବିକ୍ରି ଚାଲିଥିଲାବେଳେ ଥାନା ଅଧିକାରୀ ଦୁଇ ଚକିଆ ଗାଡି ଚାଳକମାନଙ୍କୁ ଧରି ଆଣି ଥାନାରେ ହଇରାଣ କରୁଛନ୍ତି । ସବୁଜାଣି ସୁଦ୍ଧା ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ନିରବଦ୍ରଷ୍ଟା ସାଜିଛନ୍ତି । ଅରଡ ବଜାର ଅଞ୍ଚଳରେ ଡ୍ରଗ୍ସ କାରବାର ଜୋରରେ ଚାଲିଥିବା ବେଳେ ପୋଲିସ କେବଳ ଦର୍ଶକ ସାଜିଛନ୍ତି । ପୋଲିସ ବ୍ୟବହାର ସାଧାରଣ ଜନତାଙ୍କ ପ୍ରତି ଅତି କଦର୍ଯ୍ୟ ହେବାରେ ଲାଗିଛି । ଯେଉଁ ମାଟି ସାରା ଓଡିଶାକୁ ଓଡିଆ ଭାଷାର ଜ୍ଞାନ ଦେଲା, ମାର୍ଜିତ ଭାଷା ଲୋକମାନଙ୍କୁ ଶିଖାଇଲା ସେ ମାଟିରେ କୌଣସି ପୋଲିସ ଅଧିକାରୀଙ୍କର ଅଭଦ୍ର ଭାଷା କିମ୍ବା ବ୍ୟବହାର ସହ୍ୟ କରାଯିବ ନାହିଁ ବୋଲି ଦତ୍ତ ପ୍ରକାଶ କରିଛନ୍ତି । ସାଧାରଣ ଲୋକ ଥାନାକୁ ଯିବା ପାଇଁ ଭୟଭୀତ ହେବାରେ ଲାଗିଛନ୍ତି । ଏହିଭଳି ପୋଲିସ ଅଫିସର ମାନେ ଥାନାରେ ରହି ସାଧାରଣ ଜନତାଙ୍କୁ ହଇରାଣ ହରକତ କରନ୍ତି ତାହା ହେଲେ ବିଜେପି ବ୍ୟାପକ ଆନ୍ଦୋଳନ କରିବାକୁ ମଧ୍ୟ ପଛାଇବ ନାହିଁ ବୋଲି ଦତ୍ତ ଚେତାବନୀ ଦେଇଛନ୍ତି ।