ଆଜି ବିଶ୍ୱ ବାଉଁଶ ଦିବସ

ଆସିକା  (ୱାଇଏନ୍‍ଏସ୍‍): ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୧୮ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ବାଉଁଶ ଦିବସ । ଗତ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ବ୍ୟାଙ୍କକ୍‍ରେ ବିଶ୍ୱ ବାଉଁଶ ଦିବସ ପାଳନ କରାଯାଇଥିଲା । ବିଶ୍ୱ ବାଉଁଶ ଦିବସ ଅବସରରେ ଚଳିତବର୍ଷର ଥିମ୍‍ ରହିଛି ସୀମା ବାହାରେ ବାଉଁଶ । ବିଶ୍ୱ ବାଉଁଶ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ବାଉଁଶର ପରିବେଶଗତ ଓ ଅର୍ଥନୈତିକ ଏବଂ ସାମାଜିକ ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରିବା । ବିଶ୍ୱ ବାଉଁଶ ଦିବସ ପାଳନ ଅବସରରେ ଆସିକା ଅଞ୍ଚଳର ବରିଷ୍ଠ ପରିବେଶବିତ୍‍ ଗୁଣ୍ଡିଚା ମହାରଣା ସୂଚନା ଦେଇ କହିଛନ୍ତି ଯେ ପରିବେଶର ସୁରକ୍ଷା ଓ ଜଳବାୟ ପରିବର୍ତ୍ତନ ସାଙ୍ଗକୁ ପରିବେଶର ସନ୍ତୁଳନ ରକ୍ଷା ଦିଗରେ ବାଉଁଶ ବିଶେଷ ଭାବେ ସହାୟକ ହୋଇଥାଏ । ବାଉଁଶ ଗଛ ସାଧାରଣ ଗଛ ତୁଳନାରେ ୩୫ ପ୍ରତିଶତ ଅଧିକ ଅମ୍ଳଜାନ ତ୍ୟାଗ କରିଥାଏ ଏବଂ ବହୁ ପରିମାଣ କାର୍ବନ୍‍ଡାଉକ୍ଟସାଇଡ୍‍ ଅବଶୋଷଣ କରି ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସାହାଯ୍ୟ କରିଥାଏ । ବାଉଁଶ ଗଛର ଚେର ମାଟିକୁ ଶକ୍ତି ଭାବେ ଧରି ରଖୁଥିବାରୁ ଏହା ଜମିର ଉର୍ବରତା ବଢାଇବା ସହ ମୃତ୍ତିକା କ୍ଷୟ ରୋକିବାରେ ସାହାଯ୍ୟ କରିଥାଏ । ଏପରିକି ବାଉଁଶରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ମେଦିରି ସଂପ୍ରଦାୟର ବହୁ ଲୋକଙ୍କୁ ସ୍ଥାୟୀ ଜୀବିକା ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ । ପାରମ୍ପରିକ ଚାଷ ସହିତ ବାଉଁଶ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସଂପ୍ରତିକ ପରିସ୍ଥିତିରେ ନିତାନ୍ତ ଆବଶ୍ୟକ ହୋଇପଡିଛି । ପରିବେଶକୁ ପ୍ରଦୂଷଣ କରୁଥିବା ପ୍ଳାଷ୍ଟିକ ଓ ଜଙ୍ଗଲ କ୍ଷୟ କରୁଥିବା କାଠ ବଦଳରେ ବାଉଁଶକୁ ସ୍ଥାୟୀ ବିକଳ୍ପ ଭାବେ ବ୍ୟବହାର କରି ପରିବେଶ ଅନୁକୂଳ ଶିଳ୍ପର ନିତାନ୍ତ ଅପରିହାର୍ଯ୍ୟ । ବାଉଁଶକୁ କେବଳ ଘର ତିଆରି ବା ଝୁଡି ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତରେ ସୀମିତ ନରଖି ଆଧୁନିକ ଆସବାବପତ୍ର ପ୍ରସ୍ତୁତି ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସାଙ୍ଗକୁ ପାରମ୍ପରିକ ଭାବେ ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରମାନଙ୍କୁ ସେମାନଙ୍କ କଳାକୁ ବଞ୍ଚାଇ ରଖିବା ଏବଂ ବଜାରରେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦେବାକୁ ପରିବେଶବିତ୍‍ ଗୁଣ୍ଡିଚା ମହାରଣା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ