୧୪ ହଜାର ଦୀପର ଆଲୋକରେ ଝଲସିଲା ନନ୍ଦପୁର

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : ଦୀପର ଶିଖାରେ ଝଲମଲ କଲା ନନ୍ଦପୁର। ଚାରିଆଡ଼େ ଆଲୋକର ମାଳା, ହଜାର ହଜାର ଦୀପର ଶୁଭ୍ର ଆଭା ଓ ମହିଳାଙ୍କ ଉତ୍ସାହ — ଏଭଳି ଏକ ମନୋମୁଗ୍ଧକର ପରିବେଶ ମଧ୍ୟରେ ପାଳିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ। ଏହି ଅବସରରେ ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତରେ ଜଳିଛି ପ୍ରାୟ ୧୪ ହଜାର ‘ଆଶୀର୍ବାଦ ଦୀପ’। ‘ସୁଭଦ୍ରା’ ଯୋଜନାର ହିତାଧିକାରୀ ମହିଳାମାନେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ ଓ ଆରୋଗ୍ୟମୟ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ। ଦୀପର ଆଲୋକ ଯେପରି ଅନ୍ଧକାରକୁ ଦୂର କରେ, ସେହିପରି ବିକାଶର ଆଲୋକ ସମାଜର ପ୍ରତ୍ୟେକ ବର୍ଗକୁ ସ୍ପର୍ଶ କରୁ — ଏଭଳି ଭାବନାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଗୁରୁବାର ନନ୍ଦପୁରର ଐତିହାସିକ ବତ୍ରିଶ ସିଂହାସନର ୩୨ ପାହାଚ ସମେତ ବ୍ଲକର ୨୩ଟି ପଞ୍ଚାୟତର ବିଭିନ୍ନ ସ୍ଥାନ ଦୀପର ଆଲୋକରେ ଉଜ୍ଜ୍ୱଳ ହୋଇଥିଲା। ବ୍ଲକ ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ଆୟୋଜନରେ ହୋଇଥିବା ଏହି ଆୟୋଜନରେ ବହୁ ସଂଖ୍ୟକ ମହିଳା ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସିଡିପିଓ ମିନତିବାଳା ପଟ୍ଟନାୟକ, ମିଶନ ଶକ୍ତି ବ୍ଲକ ସଂଯୋଜକ ବିଚିତ୍ର ରାଉତଙ୍କ ସମେତ ମଣ୍ଡଳ ପରିଦର୍ଶକ, ବିଆରପି, ସିଆରପି ଓ ଏମ୍‌ବିକେମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ନନ୍ଦପୁର ବିଜେପି ପକ୍ଷରୁ ସର୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥିରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଜାତୀୟ ବିଜେପି କାଉନସିଲ ସଦସ୍ୟ ଜୟରାମ ଭୋଇ, ମଣ୍ଡଳ ସଭାପତି ହରିହର ବେହେରାଙ୍କ ସମେତ ଗଣେଶ ଖିଲ, ଦୁର୍ଗା ପଟ୍ଟନାୟକ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱରରୁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ଯୋଜନାର ବାର୍ଷିକୀ ଓ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନନ୍ଦପୁରରେ ଜଳିଥିବା ହଜାର ହଜାର ଦୀପ ଦିନଟିକୁ ଏକ ଆଲୋକମୟ ସ୍ମୃତିରେ ପରିଣତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ