ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ
ବିଶ୍ୱରେ ଯେତେ ମୃତ୍ୟୁ ଘଟୁଛି ତାହାର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚିନ୍ତା ପ୍ରକଟ କରିଛି । କାରଣ ଆତ୍ମହତ୍ୟା ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା । ଆର୍ଥିକ ଦୁଃସ୍ଥିତି, ସନ୍ତାନଙ୍କ ମୃତ୍ୟୁ, ସମ୍ପର୍କ ଭାଙ୍ଗିଯିବା ଆଦି ପରିସ୍ଥିତି ଯୋଗୁ ଆତ୍ମହତ୍ୟା ଘଟଣା ଘଟିଥାଏ । ସେହିପରି ସଂଘର୍ଷ, ଦୁର୍ବ୍ୟବହାର ଓ ଭେଦଭାବର ଶିକାର ଲୋକ, ବିଚ୍ଛିନ୍ନ ହୋଇ ରହୁଥିବା ବ୍ୟକ୍ତି, ଶରଣାର୍ଥୀ, ପ୍ରବାସୀ, ଯୌନ ପୀଡ଼ିତଙ୍କ କ୍ଷେତ୍ରରେ ଆତ୍ମହତ୍ୟାଜନିତ ମୃତ୍ୟୁ ଆଶଙ୍କା ଅଧିକ । ଅନେକେ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ଆର୍ଥିକ ବାତାବରଣ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ଆତ୍ମହତ୍ୟା ଭଳି ଚରମପନ୍ଥା ବାଛି ନିଅନ୍ତି । ଏଣୁ ଠିକ୍ ପଦକ୍ଷେପ ନିଆଯାଇପାରିଲେ ଆତ୍ମହତ୍ୟାକୁ ଅନେକାଂଶରେ ରୋକାଯାଇପାଇବ ।
ଡବ୍ଲ୍ୟୁଏଚ୍ଓର “ମେଣ୍ଟାଲ ହେଲ୍ଥ୍ ଆଣ୍ଡ ସବ୍ଷ୍ଟାନ୍ସ ଆବିଉଜ୍’ ବିଭାଗର ନିର୍ଦ୍ଦେଶକ ଡ. ଶେଖର ସାକ୍ସନା କୁହନ୍ତି, ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ । ଯେଉଁ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବାକୁ ତୀବ୍ର ଇଚ୍ଛା ହୁଏ, ସେ ନିକଟତମ ପନ୍ଥା ବାଛିନିଏ । ଯଦି ସେହି ବ୍ୟକ୍ତିଙ୍କୁ ସେଥିରୁ ଦୂରେଇ ରଖିହେବ ତାହା ହେଲେ ତାଙ୍କ ଜୀବନ ବଞ୍ଚାଇଯାଇପାରିବ । କେତେ ଜଣ ଲୋକ ଆତ୍ମହତ୍ୟା କରିବା ପୂର୍ବରୁ ଭାବନ୍ତି, ଅନ୍ୟ ଲୋକଙ୍କ ସହ ଆଲୋଚନା କରନ୍ତି ଏବଂ ଆତ୍ମହତ୍ୟାରୁ ନିବୃତ୍ତ ରହିଥାନ୍ତି ବୋଲି ସାକ୍ସନା କହିଛନ୍ତି । ଡବ୍ଲ୍ୟୁଏଚ୍ଓ ମୁତାବକ ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ । ହେଲେ ୧୫ରୁ ୨୯ ବର୍ଷ ବୟସ୍କଙ୍କ ମୃତ୍ୟୁଗୁଡ଼ିକର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା । କିନ୍ତୁ ଏ କ୍ଷେତ୍ରରେ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କ ସଂଖ୍ୟା ଅଧିକ । ସେହିପରି ମହିଳାଙ୍କ ତୁଳନାରେ ପୁରୁଷ ଏବଂ ଗରିବ ଦେଶ ଅପେକ୍ଷା ଧନୀ ଦେଶରେ ଅଧିକ ଆତ୍ମହତ୍ୟା କରନ୍ତି । ବିଶ୍ୱର ତିନି ଚତୁର୍ଥାଂଶ ଆତ୍ମହତ୍ୟା ନିମ୍ନ ଓ ମଧ୍ୟମ ଆୟକାରୀ ଦେଶରେ ଘଟିଥାଏ । ସେଥିମଧ୍ୟରେ ଅଧିକ ଦେଶ କେନ୍ଦ୍ର ପୂର୍ବ ୟୁରୋପ ଓ ଏସିଆରେ ରହିଛି । ଉତ୍ତର କୋରିଆ ପୃଥିବୀର ସର୍ବାଧିକ ଆତ୍ମହତ୍ୟାପ୍ରବଣ ଦେଶ । ଏଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ହିସାବକୁ ନିଆଗଲେ ୩୯.୫ ଜଣ ଆତ୍ମହତ୍ୟା କରନ୍ତି । କିନ୍ତୁ ଦକ୍ଷିଣ କୋରିଆରେ ଏହି ହାର ୩୬. ୬ ରହିଛି । ଧାର୍ମିକ ବିରୋଧ ଯୋଗୁ କ୍ୟାଥେଲିକ ଓ ମୁସଲମାନ ବହୁଳ ଦେଶଗୁଡ଼ିକରେ ଆତ୍ମହତ୍ୟା ହାର କମ୍ । ପ୍ରାୟତଃ ଆତ୍ମହତ୍ୟା ଘଟଣା ଭାର ସମୟରେ ଘଟେ ଏବଂ ପ୍ରାୟ ଏକ ତୃତୀୟାଂଶ ଲୋକ କୀଟନାଶକ ପିଇ ଜୀବନ ହାରନ୍ତି । ସାଧାରଣତଃ ଗ୍ରାମାଞ୍ଚଳର ନିମ୍ନ ଆୟକାରୀ ଚାଷୀମାନେ କୀଟନାଶକ ପିଇଥାନ୍ତି, ଯେଉଁମାନେ ଋଣ ଶୁଝି ନ ପାରି ମାନସିକ ଭାରସାମ୍ୟ ହରାଇଥାନ୍ତି । ଜେନେଭାସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଂଘର ଆକଳନ ଅନୁଯାୟୀ ବହୁ ଦେଶରେ ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ଭଲଭାବେ ସଂଗ୍ରହ ହୁଏନାହିଁ । ଆତ୍ମହତ୍ୟା ଅନେକ ଦେଶରେ ଘୃଣ୍ୟ ତଥା କଳଙ୍କ ମନେକରାଯାଏ । ଏହାକୁ ବେଆଇନ ତଥା ଅପରାଧ ଘୋଷଣା ମଧ୍ୟ କରାଯାଇଛି । ଭାରତରେ ମଧ୍ୟ ଆତ୍ମହତ୍ୟା ବେଆଇନ । ଅନ୍ୟ ଦେଶଗୁଡ଼ିକ ସହ ତୁଳନା କଲେ ଭାରତରେ ଆତ୍ମହତ୍ୟା ସ୍ଥିତି ସବୁଠୁ ଅଧିକ ନ ହେଲେ ମଧ୍ୟ ଉଦ୍ବେଗଜନକ । ଏଠାରେ ପ୍ରତି ୧ ଲକ୍ଷ ଲାକଙ୍କ ମଧ୍ୟରେ ୨୧ଜଣ ଆତ୍ମହତ୍ୟା କରନ୍ତି । ଏ କ୍ଷେତ୍ରରେ ତୁଳନା କଲେ ବିଶ୍ୱରେ ଏହି ହାର ୧୧ ରହିଛି ।


