ଆତ୍ମାହୂତି ପାଇଁ ଚେତାବନି ଦେଲେ ଦୁଇ ବରିଷ୍ଠ ନାଗରିକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ସରକାର ଗୁହାରୀ ଶୁଣୁ ନଥିବାରୁ ଶେଷରେ ବାଧ୍ୟ ହୋଇ ଅଗଷ୍ଟ ୧୫ ତାରିଖରେ ଆତ୍ମାହୂତୀ କରିବେ ବୋଲି କହିଛନ୍ତି ବସ୍ତା ଥାନା ଟିକରାପଡା ଅଞ୍ଚଳର ଦିଗମ୍ବର ପାତ୍ର (୭୧) ଓ ଭୋଗରାଇ ପଳାସିଆ ଗାଁର ବିଜୟ କୁମାର ପରମାଣିକ (୭୬) । ଅଦାଲତର ନିର୍ଦ୍ଦେଶ ସତ୍ତେ୍ୱ ଦୁଇ ବରିଷ୍ଠ ନାଗରିକ ଅବସର ନେବାର ଦୀର୍ଘ ବର୍ଷ ପରେ ବି ପେନସନ ପାଇପାରିନାହାନ୍ତି । ଦିଗମ୍ବର ୧୯୭୦ ମସିହାରୁ ଅସ୍ଥାୟୀ ଆଦାୟ ପିଅନ ଭାବେ ବସ୍ତା ତହସିଲ ଅଧୀନରେ କାର୍ଯ୍ୟ କରି ଆସୁଥିବା ବେଳେ ୨୦୦୦ ସମିହାରେ ବାଲେଶ୍ୱର ଜିଲ୍ଲାପାଳ ତାଙ୍କୁ ସ୍ଥାୟୀ ନିଯୁକ୍ତି ପିଅନ ଭାବେ ବସ୍ତା ବ୍ଲକରେ ପ୍ରଦାନ କରି ଚାକିରିରୁ ୨୦୦୮ ମସିହାରେ ଅବସର ନେଇଥିଲେ । ସେହିପରି ବିଜୟ କୁମାର ଅସ୍ଥାୟୀ ପିଅନ ଭାବେ ଜଳେଶ୍ୱର ତହସିଲ ଅଧୀନରେ କାର୍ଯ୍ୟ କରିବା ସହ ୨୦୦୧ରୁ ସ୍ଥାୟୀ ପିଅନ ଭାବେ ରେମୁଣା ବ୍ଲକରେ କାର୍ଯ୍ୟ କରି ୨୦୦୩ରେ ଅବସର ନେଇଥିଲେ । ତକ୍ରଳୀନ ଜିଲ୍ଲାପାଳ ଚକବନ୍ଦୀ ଓ ବନ୍ଦୋବସ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପୂର୍ତ୍ତ ବିଭାଗର କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ସ୍ଥାୟୀ କରାଯାଇ ପେନସନ ଦିଆଯାଇଥିଲେ ବି ଉପରୋକ୍ତ ଦୁଇ ଜଣଙ୍କୁ ଏଯାଏ ପେନସନ ପ୍ରଦାନ କରାଯାଉନାହିଁ । ଏହାକୁ ନେଇ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ । ଓଡିଶା ରାଜ୍ୟ ପ୍ରଶାସନିକ ଅଦାଲତ ପେନସନ ପ୍ରଦାନ କରିବା ପାଇଁ ୮.୫.୨୦୧୫ ରେ ରାଜ୍ୟ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ବି ଏ ଯାଏ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନାହିଁ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ପେନସନ ନମିଳିଲେ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଦୁଇ ବରିଷ୍ଠ ନାଗରିକ ଆତ୍ମାହୂତୀ ଦେବେ ବୋଲି ଚେତାବନି ଦେଇଛନ୍ତି ।