ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ ,୫ ଟ୍ରାକ୍ଟର ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ଥିବା ବଂଶଧାରା ନଦୀରୁ ଚୋରାରେ ଆନ୍ଧ୍ରକୁ ବାଲି ଚାଲାଣ କରାଯାଉଥିବା ବେଳେ ୫ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଛି । ଏହି ବେଆଇନ ଚୋରାଚାଲାଣ ପାଇଁ ୫ଗୋଟି ଟ୍ରାକ୍ଟରରୁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇ ଥିବା ସୁଚନା ମିଲିଛି । ଘଟଣାରୁ ପ୍ରକାଶ କାଶୀନଗର ତହସିଲ ଅଧିନ ବଂଶଧାରା ନଦୀ ଘାଟରୁ ବେଆଇନ ବାଲି ଚାଲାଣ ବେଳେ ସୋମବାର ୫ ବାଲି ଟ୍ରାକ୍ଟର ଜବତ କରାଯାଇଛି । ନିଷେଧାଞ୍ଚଳରୁ ଏହି ବାଲି ଚାଲାଣ କରାଯାଉଥିବା ସୁଚନା ପାଇ ତହସିଲଦାର ଶାନ୍ତିସ୍ୱରପ ମିଶ୍ର,ପାରଲାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଓ ପରିବହନ ବିଭାଗ ପକ୍ଷରୁ ମିଲିତ ଯାଞ୍ଚ କରାଯିବା ସମୟରେ କାଗଜପତ୍ର ନ ଥିବାରୁ ୫ ଟ୍ରାକ୍ଟରରୁ ମୋଟ ୧ଲକ୍ଷ ୫୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବଂଶଧାରା ଘାଟରୁ ଏଭଳି ଭାବେ ବେଆଇନ ଓ ଚୋରା ବାଲି ଚାଲାଣ ଲାଗିରହିଛି । ଏଭଳି ଭାବେ ଜବତ ବାରମ୍ବାର ହେଉଛି । ଗଜପତିର ପୋଡଶୀ ଆନ୍ଧ୍ରରେ ନଦୀ ବାଲିର ଚାହିଦା ଅତ୍ୟଧିକ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ ପାଇଁ ଏହି ଚୋରା ବାଲି ଚାଲାଣ ଲାଗି ରହିଛି । ଏହି ଚାଲାଣରେ କେତେକ ସ୍ୱାର୍ଥନ୍ୱେଷି ସରକାରୀ କର୍ମଚାରୀ ଏବଂ କେତେକ କୁଜି ନେତା ସମ୍ପୃକ୍ତ ଅଛନ୍ତି । ଏମାନଙ୍କୁ ଜବତ କରିବା ସହ ବାଲି ଚୋରାଚାଲାଣ ନେଇ ସଠିକ୍ ପ୍ରତିକାର କଲେ ଏହାକୁ ରୋକାଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


