ଆସାମରେ ଭାଜପା ସରକାରର ୧୦୦ ଦିନ ସମ୍ପୂର୍ଣ୍ଣ : ବସ୍ ଚାଳକଙ୍କୁ ୧୦ ହଜାର ଓ ମନ୍ଦିରର ପୂଜାରୀଙ୍କ ନିମନ୍ତେ ୧୫ ହଜାର ସହାୟତା ରାଶି ଘୋଷଣା
ଗୌହାଟୀ, (ୱାଇଏନ୍ଏସ୍): ଆସାମରେ ଲଗାତାର ଦ୍ୱିତୀୟ ଥର ରାଜ୍ୟର ଶାସନ କ୍ଷମତା ସମ୍ଭାଳୁଥିବା ଭାଜପା ସରକାର ଏହାର ଦ୍ୱିତୀୟ କାର୍ଯ୍ୟକାଳର ଆଜି ୧୦୦ ଦିନ ସମ୍ପୂର୍ଣ୍ଣ କରିଛି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଡା. ହିମନ୍ତ ବିଶ୍ୱ ଶର୍ମା କରୋନା ମହାମାରୀ ସମୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ବିଭିନ୍ନ ଅଂଚଳର ଲୋକଙ୍କ ପାଇଁ ଅନେକ ଆକର୍ଷଣୀୟ ଘୋଷଣା କରିଛନ୍ତି । ଏଥିସହ ସରକାର ହାସଲ କରିଥିବା ଉପଲବ୍ଧି ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଛନ୍ତି ।
ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିଥିଲେ । ତଦନୁଯାୟୀ, ବସ୍ ଚାଳକ ମାନଙ୍କ ପାଇଁ ୧୦ ହଜାର ଟଙ୍କାର ସହାୟତା ରାଶି, ମନ୍ଦିରର ପୂଜାରୀ ମାନଙ୍କ ପାଇଁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।ସେହିପରି ଆଜି କ୍ୟାବିନେଟ ବୈଠକରେ ଅରୁଣୋଦୟ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ମିଳୁଥିବା ୮୫୦ ଟଙ୍କାର ଅର୍ଥ ରାଶିକୁ ତତ୍କାଳ ୧୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିଲା । ସେହିପରି ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭୂଗୋଳ ଓ ଇତିହାସ ଅଧ୍ୟୟନକୁ ବାଧ୍ୟତାମୂଳକ କରାଯାଇଛି । ୬ ମାସ ମଧ୍ୟରେ ଗୌହାଟୀରେ ଇଲେକଟ୍ରିକ୍ ବସ୍ ଚାଲିବ । ଏଥିପାଇଁ ୨୦୦ ଇଲେକଟ୍ରିକ୍ ବସ୍ କିଣିବାକୁ ନିଷ୍ପତି ହୋଇଛି ।