ଆୟୁର୍ବେଦିକ ଡାକ୍ତରଖାନା ଗୃହ ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ ପଢିଆରିପଲ୍ଲି ଗ୍ରାମରେ ଆୟୁର୍ବେଦିକ ଡାକ୍ତରଖାନା ଗୃହ ନିର୍ମାଣ ବିଳମ୍ବକୁ ନେଇ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ପୂର୍ବରୁ ଏକ ଭଙ୍ଗା ଘରେ ଡାକ୍ତରଖାନା ଟି ଚାଲୁଥିବା ବେଳେ ଏବେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାଲୁଛି। ପ୍ରତିଦିନ ୩୦ ରୁ ୪୦ ରୋଗୀ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଘରେ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ରୋଗୀ ମାନେ ନାନା ଅସୁବିଧା ଭୋଗ କରୁଛନ୍ତି। ଏପରିକି ଡାକ୍ତର ଓ କର୍ମଚାରୀ ବସିବାକୁ ମଧ୍ୟ ଅସୁବିଧା ହେଉଛି। ଅନେକ ଦାବି ପରେ ସରକାର ନୂତନ ଡାକ୍ତରଖାନା ଗୃହ ନିର୍ମାଣ ପାଇଁ ୩୯ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ୬ମାସ ହେଲା ଟେଣ୍ଡର ମଧ୍ୟ ସରିଛି। ଏପରିକି ହାଟଡିହି ତହସିଲଦାର ଏହି ଗୃହ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରି ପଢିଆରିପଲ୍ଲି ମୌଜାର ଖାତାନଂ- ୩୪୨ ପ୍ଲଟନଂ ୧୧୧୩ରେ ୨୦ତିସିମିଲ ଜମି ମଧ୍ୟ ଯୋଗାଇ ଦେଇଛନ୍ତି। କିନ୍ତୁ ଟେଣ୍ଡର ନେଇଥିବା ଠିକାଦାର ଆଜି ପର୍ଯ୍ୟନ୍ତ କାମ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଜଣାଇବା ପରେ ମଧ୍ୟ ଠିକାଦାର କାମ ଆରମ୍ଭ କରୁନାହିଁ ବୋଲି ସରପଞ୍ଚ ଅଜିତ ରାଉତ ପ୍ରକାଶ କରିଛନ୍ତି। ଯଦି ଅତିଶୀଘ୍ର କାମ ଆରମ୍ଭ ନହୁଏ ତେବେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବୁ ବୋଲି ଗ୍ରାମବାସୀମାନେ କହିଛନ୍ତି