ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର : ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ କିଟ୍-କ୍ୟମ୍ପସ-୭ରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ଦିଲ୍ଲୀପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି କହିଥିଲେ ଯେ, ମୁଁ ୨୫ ବର୍ଷ ବୟସରେ ମାତ୍ର ୫ ହଜାର ଟଙ୍କାରେ କିଟ୍ ଓ କିସ୍ ଆରମ୍ଭ କରିଥିଲି ମାତ୍ର ମୋ ବୟସର ଅଧା ଦିଲ୍ଲୀପ ସ୍ୱାଇଁ ମାତ୍ର ୧୮ ବର୍ଷ ବୟସରେ ୧୦୦ଟଙ୍କାରେ ଉଦ୍ୟମ ଟ୍ରଷ୍ଟ ଆରମ୍ଭ କରି ଆଜି ଏତେ ବାଟରେ ପହଞ୍ଚାଇଥି ବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ ଯେ, ମୁଁ ଓ ଦିଲ୍ଲୀପ ସ୍ୱାଇଁ ଲୋକଙ୍କ ସେବା କରିବା ପାଇଁ ଜଣେ ଜଣେ ମାଧ୍ୟମ ଭଗବାନ ଯାହା ଉପରେ ସନ୍ତୁଷ୍ଟ ଥିବେ ତାରା କେବେ କୌଣସି ଅସୁବିଧା ହେବନାହିଁ ମୁଁ ବଞ୍ଚିତଥିବା ପର୍ଯ୍ୟନ୍ତ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟକୁ ଏପରି କାର୍ଯ୍ୟକ୍ରମ କରିବା ପାଇଁ ସହଯୋଗ ଯୋଗାଇଦେବି । ସମମ୍ମାନିତ ଅତିଥି ଭାବେ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ କହିଥିଲେ ଯେ, କାହାରି କଥାକୁ ଭ୍ରୁକ୍ଷେପ ନ କରି କାର୍ଯ୍ୟ କରି ଚାଲ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ଲୋକଙ୍କ ପାଖରେ ପ୍ରଚୁର ପାଇସା ଥାଇପାରେ, ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ପାଖରେ ପଇସା ନଥାଇ ପାରେ, ମାତ୍ର ଲୋକଙ୍କୁ ସେବା ଯେଗାଇ ଦେବାରେ ଟ୍ରଷ୍ଟର ପଦକ୍ଷେପକୁ ସ୍ୱାଗତ କରିବା ସହିତ ଉଦ୍ୟମ ଟ୍ରଷ୍ଟର କାର୍ଯ୍ୟଶୈଳୀକୁ ଆଜିର ଯୁବପିଢିମାନେ ଆପଣାଇବାର ଆବଶ୍ୟକତା ରହିଛି । ଏହି ଅବସରରେ ୪ଜଣ ଭିନ୍ନକ୍ଷମଙ୍କୁ ୪ଟି ହ୍ୱିଲ୍ ଚେୟାର, ୪ଜଣ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ୪ଟି ସିଲେଇ ମେସିନ୍, ୨୨ଜଣ ଛୋଟା ଭିନ୍ନକ୍ଷମ ଲୋକଙ୍କୁ ୨୨ଟି ଆଶାବାଡ଼ି, ୨୨ଜଣ ଅନ୍ଧ ବ୍ୟକ୍ତିଙ୍କୁ ୨୨ଟି ବ୍ଲାଇଣ୍ଡି ଷ୍ଟିକ୍ ଓ ଦୁଇଜଣ ରୋଗୀଙ୍କୁ ୨୭ ହଜାର ଟଙ୍କା ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିବା ବେଳେ ୧୭ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ପରିଶେଷରେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଜିତ କୁମାର ସାମନ୍ତରାୟ, ନିରଞ୍ଜନ ସାହୁ, ସନ୍ଦୀପ ଲେଙ୍କା, କାଳନ୍ଦୀ ଦାସ, ଚନ୍ଦ୍ରରାଜ ମହାରଣା, ଜ୍ୟୋତିରଞ୍ଜନ ସାହୁ, ବିକ୍ରମ ମଲ୍ଳିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।


