ଉଦୟନାଥ ମହାବିଦ୍ୟାଳୟ ପାଠାଗାର ପରିଦର୍ଶନ କଲେ ବିଧାନସଭା ପାଠାଗାର କମିଟି
କଟକ, (ଓ୍ବାଇଏନଏସ) : ଓଡ଼ିଶା ବିଧାନସଭାର ପାଠାଗାର କମିଟି ଆଜି ଅଡଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପାଠାଗାର ପରିଭ୍ରମଣ କରିଛନ୍ତି । ପାଠାଗାର କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଆକାଶ ଦାସ ନାୟକଙ୍କ ସମେତ ପଚିଶରୁ ଉର୍ଦ୍ଧ୍ୱ ବିଧାୟକ ଓ ସେମାନଙ୍କ ସହ ବିଧାନସଭାର ପାଠାଗାରର ଚାଳିଶ ଜଣ ସହାୟକ ଅଧିକାରୀ ମହାବିଦ୍ୟାଳୟ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତ୍ରିଲୋଚନ କାନୁନଗୋଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ମହାବିଦ୍ୟାଳୟର ଗୋଦାବରୀଶ ମିଶ୍ର କେନ୍ଦ୍ରୀୟ ପାଠାଗାରର ଇ ଲାଇବ୍ରେରୀ, ଅତ୍ୟାଧୁନିକ ପଠନ କକ୍ଷ ପରିଦର୍ଶନ କରି ବିଧାୟକମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ପାଠାଗାର ପରିସରରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଧାନସଭା ପାଠାଗାର ସମିତିର ଚେୟାରମ୍ୟାନ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଓ ଜୟଦେବ ବିଧାୟକ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ ଅଭିଭାଷଣ ଦେଇ ମହାବିଦ୍ୟାଳୟର ପରିସର ଓ ପାଠପଢାର ପ୍ରଶଂସା କରିଥିଲେ। ଏହି ସଭାରେ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀମତୀ ଅଗସ୍ତି ମହାନ୍ତି , ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ପରିଚାଳନା ସମିତିର ସଭ୍ୟ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ପ୍ରାଣବନ୍ଧୁ ତ୍ରିପାଠୀ, ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ, ପ୍ରଫେସର ନିବେଦିତା ଜେନା, ପ୍ରଫେସର ଜୟନ୍ତୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ଲୁଲୁମୀନା ଦାସ ସ୍ଵାଗତ ଅଭିଭାଷଣ ଦେଇ ମହାବିଦ୍ୟାଳୟକୁ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାୟକମାନଙ୍କର ସହଯୋଗ କାମନା କରିଥିଲେ। ଓଡ଼ିଆ ସାହିତ୍ୟ ବିଭାଗର ଅଧ୍ୟାପିକା ଡ କବିତା ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟା ଡ ହିରଣ୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ବିଧାନସଭା କମିଟିର ସଦସ୍ୟମାନେ ମହାବିଦ୍ୟାଳୟର ସୂର୍ଯ୍ୟଘଡି, ଅତ୍ୟାଧୁନିକ କୌଶଳରେ ନିର୍ମିତ ସନ୍ତରଣ ପୁଷ୍କରିଣୀ, ହେରିଟେଜ ହଲ୍ ଓ ଷ୍ଟାଡିୟମ ବୁଲି ଦେଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା।


