ସ୍କୁଲ ଶ୍ରେଣୀଗୃହ ଭିତରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବାଧାପ୍ରାପ୍ତ
ହାଟଡିହି (ଓ୍ବାଇଏନଏସ): ସାରା ଓଡ଼ିଶାରେ ଲଗାଣ ବର୍ଷାରେ ଲାଗି ରହିଥିବା ବେଳେ ହାଟଡିହି ବ୍ଲକରେ ଆଜି ସକାଳ ୭ଟା ସୁଦ୍ଧା ୧୯୦-୨ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି। ଏତେ ମାତ୍ରାରେ ବର୍ଷା ଯୋଗୁଁ ବିଲ ବାଡ଼ି ପାଣିରେ ଉଛୁଳି ପଡିଛି। ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ପାରି ନଥିବାରୁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଏହି ବର୍ଷା ଯୋଗୁଁ ହାଟଡିହି ବ୍ଲକ ବୈଦାଖିଆ ସ୍ଥିତ ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ପାଣି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବାଧା ଉପୁଜିଛି। ଖାଲି ଶ୍ରେଣୀଗୃହ ନୁହେଁ ସ୍କୁଲ ପରିସର ପାଣିରେ ଭର୍ତ୍ତି, ନଳକୂପ ଟି ମଧ୍ୟ ବୁଡି ଯାଇଛି। । ମାଧ୍ୟାନ୍ନ ଭୋଜନ ପ୍ରସ୍ତୁତିରେ ମଧ୍ୟ ବାଧା ଉପୁଜୁଛି। ଅଫିସ ଭିତରେ ପାଣି ପଶିଥିବାରୁ ରେକର୍ଡ ପତ୍ର ନଷ୍ଟ ହୋଇଛି। ୪୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଜି ସମ୍ପୂର୍ଣ୍ଣ ଶିକ୍ଷାଦାନ ବନ୍ଦ ହୋଇ ଯାଇଛି। ଗତ ସପ୍ତାହରେ ମଧ୍ୟ ଏପରି ପରିସ୍ଥିତି ଯୋଗୁଁ ଦୁଇଦିନ ସ୍କୁଲ ରେ ଶିକ୍ଷାଦାନ ହୋଇ ପାରି ନଥିଲା। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ରତ୍ନାକର ବେହେରା, ମାନିନୀ ନାୟକ, ଦାବି କରିଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ରାଉତ କହିଛନ୍ତି ଯେ ବାରମ୍ବାର ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଛି। କିନ୍ତୁ କିଛି ପ୍ରତିକାର କରା ଯାଉନି ବୋଲି କହିଛନ୍ତି।


