ଉପକୂଳ ଓଡ଼ିଶା ସହୁଛି ଜଳବାୟୁର ଜ୍ୱାଳା
ଭୁବନେଶ୍ୱର: ବାଲେଶ୍ୱରରୁ ଗୋପାଳପୁର ଆଉ ପୁରୀରୁ କେନ୍ଦ୍ରାପଡ଼ା ଉପକୂଳ ଓଡ଼ିଶା ସହୁଛି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଜନିତ ଜ୍ୱାଳା । କେବେ ଅଂଶୁଘାତ ତ କେତେ ମହାବାତ୍ୟା ଉପକୂଳିଆ ଜନ ଜୀବନର ଅଶେଷ କ୍ଷତି ଘଟାଉଛି । ଖରାଦିନ ଲମ୍ବା ହେବାରେ ଲାଗିଛି ଓ ବର୍ଷାର ପ୍ରକାର ହ୍ରାସ ପାଇଛି । ପାଗରେ ପରିବର୍ତ୍ତନ ଜନିତ ପ୍ରଭାବରେ ବିସ୍ଥାପନର ଦୁଃଖ ମଧ୍ୟ ଲଦି ହୋଇଯାଇଛି ବୋଲି ସ୍ଥାନୀୟ ଏକ ହୋଟେଲରେ ରିଜିଓନାଲ ସେଣ୍ଟର ଫର୍ ଡ଼େଭଲପମେଣ୍ଟ କୋଅପରେସନ (ଆରସିିଡ଼ିସି) ପକ୍ଷରୁ ଆୟୋଜିତ ଉପକୂଳ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଲୋକଙ୍କ ଅବଧାରଣା ‘ଭଏସ୍ ଫର୍ କୋଷ୍ଟାଲ ଡ଼ିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା’ ଶୀର୍ଷକ କର୍ମଶାଳାରେ ମତପ୍ରକାଶ ପାଇଛି । ପୂର୍ବତନ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଆରସିଡ଼ିସିର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ ସ୍ୱାଗତ ସମ୍ଭାଷଣ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ୟୁଏନ୍ଡ଼ିପିର ପ୍ରତିନିଧି ଅମୃତା ପ୍ରିୟମ କର୍ମଶାଳାର ଆଭିମୁଖ୍ୟ କହିଥିଲେ । ସିୱାଇଏସ୍ଡ଼ିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପକୂଳ ଓଡ଼ିଶାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ପ୍ରହାର କରୁଥିବା ସୂ·ଇ ମୁକାବିଲା କୌଶଳ ବିକଶିତ କରିବା ଉପରେ ଜୋର୍ ଦେଇଥିଲେ । ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ବାସୁଦେବ ମହାପାତ୍ର, ସୁଦର୍ଶନ ଛୋଟରାୟ, ଆଶିଷ ସେନାପତି, ଗବେଷିକା କୀର୍ତ୍ତିକଳିଙ୍ଗା, ଉକ୍ରଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ମୁଖ୍ୟ କବୀର ସେଠୀ, ଆରସିିଡ଼ିସି ପକ୍ଷରୁ ତପନ ପାଢୀ, ଉମାକାନ୍ତ ମହାନ୍ତି, ସାତଭାୟାଖଣ୍ଡର ସୁଦର୍ଶନ ରାଉତ ପ୍ରମୁଖ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ବିଭିନ୍ନ ଦିଗ, ଉପୁଜୁଥିବା ବାଧା, ଆଗକୁ ନିଆଯିବା ପାଇଁ ଥିବା କୌଶଳ ଉପରେ ଆଲୋକପାତ କରାଇଥିଲେ । ଶତାଧିକ ଅଂଶଗ୍ରହଣକାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


