ଏନଏସି ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପରିଷଦ ବୈଠକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜୁନ ୨୯ ତାରିଖ ଦିନ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ସହ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପରିଷଦ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଅଧ୍ୟକ୍ଷା ସଙ୍ଗୀତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ପାରିଷଦ ବୃନ୍ଦ ଓ ଏନଏସି କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କ ଅଧ୍ୟକ୍ଷତାରେ କାଉନସିଲ ବୈଠକ ଆରମ୍ଭ ହୋଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ପୂର୍ବ ବୈଠକର ବିବରଣୀ ପଠନ କରିବା ସହ ଚଳିତ ବୈଠକର କାର୍ଯ୍ୟକ୍ରମ ବିଷୟ ସଂକ୍ଷିପ୍ତରେ ପ୍ରକାଶ କରିଥିଲେ । ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ସହ ରାସ୍ତା ଆଲୋକୀକରଣ, ଭତ୍ତା ବଣ୍ଟନ, ବୃକ୍ଷ ରୋପଣ, ବସଷ୍ଟାଣ୍ଡ ନିର୍ମାଣ ଓ ଅନ୍ୟାନ୍ୟ ବିଷୟ ନେଇ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ମୋଚିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ଓ କର୍ମଚାରୀ ବୃନ୍ଦ ବୈଠକରେ ଉପସ୍ଥିତ ଥିଲେ ।


