ଆଧାର ହେଲା କାଳ, ବୃଦ୍ଧାଙ୍କୁ ମିଳିଲାନି ଆବାସ ଯୋଜନାର ଦ୍ୱିତୀୟ କିସ୍ତି
ହାଟଡିହି (ଓ୍ବାଇଏନଏସ) : ଆବାସ ଯୋଜନା ରେ ଘର ପାଇଲେ, କାର୍ଯ୍ୟାଦେଶ ମିଳିଲା, ପ୍ରଥମ କିସ୍ତି ଟଙ୍କା ବି ମିଳିଲା, ଘର ଆରମ୍ଭ ହେଲା, କିନ୍ତୁ ମିଳିଲାନି ଦ୍ୱିତୀୟ କିସ୍ତି। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ପଞ୍ଚାନନ ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ତାଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ପକ୍ଷରୁ ସୁବାସିନୀ ଜେନାଙ୍କ ନାମରେ ଗତ ୨୦୨୦ / ୨୧ ଆର୍ଥିକ ବର୍ଷରେ ଆବାସ ଯୋଜନା ରେ ଗୃହ ଯୋଗାଇ ଦିଆ ଯାଇଥିଲା। ପ୍ରଥମ କିସ୍ତି ବାବଦ ତାଙ୍କୁ ୨୦ ହଜାର ଟଙ୍କା ତାଙ୍କ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏକାଉଣ୍ଟ କୁ ଦିଆ ଯାଇଥିଲା। ସେ ସେହି ଟଙ୍କାକୁ ଉଠାଇ ପ୍ରଥମେ ଘର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଧାର କରଜ କରି ଛାତ ଲେବୁଲ ପର୍ଯ୍ୟନ୍ତ ଘରକାମ ସାରିଥିଲେ ମଧ୍ୟ ତାଙ୍କୁ ଆଉ ଦ୍ୱିତୀୟ କିସ୍ତି ଦିଆ ଗଲାନି। ତାଙ୍କ ନାମରେ ଥିବା ଏକାଉଣ୍ଟ ରେ ଭିନ୍ନ ଲୋକର ଆଧାର ସଂଯୋଗ ହୋଇ ଯାଇଥିବାରୁ ତାଙ୍କ ଏକାଉଣ୍ଟ କୁ ଆଉ ଟଙ୍କା ଛଡା ଯାଇ ନଥିଲା। ସେ ୩ /୪ ବର୍ଷ ଧରି ବ୍ଲକ କାର୍ଯ୍ୟାଳୟ କୁ ଦୌଡୁ ଥିଲେ ମଧ୍ୟ ତାଙ୍କ ସମସ୍ୟା କଥା କେହି ବୁଝୁ ନଥିବା ସୁବାସିନୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ୭୦୦ରୁ ଉର୍ଦ୍ଧ ଲୋକଙ୍କ ଏଭଳି ସମସ୍ୟାକୁ ଧିରେ ଧିରେ ସମାଧାନ କରା ଯାଇଛି। ଆଉ କିଛି ହିତାଧିକାରୀଙ୍କର ଏପରି ରହିଛି, ଉଚ୍ଚ କର୍ତ୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


