ଏନଫୋର୍ସମେଂଟ ଟିମ୍ର ଚଢାଉ ବିପୁଳ ପରିମାଣର ପଲିଥିନ୍ ଓ ପାଣି ପାଉଚ୍ ଜବତ- ଜୋରିମାନା ଆଦାୟ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗତବର୍ଷ ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧି ଜୟନ୍ତି ଠାରୁ ରାଜ୍ୟର ବହୁ ପୌରାଂଚଳରେ ପଲିଥିନ ବିକ୍ରିକୁ ନିଷିଦ୍ଧ କରାଯାଇଛି । ପାଣି ପାଉଚ୍ ଓ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ପରିବେଷ ପ୍ରଦୁଷିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ହିଂଜିଳିକାଟୁ ପୌରପରିଷଦକୁ ଘାରିଛି ପରିବେଷ ସୁରକ୍ଷା ଚିନ୍ତା । ପାଣି ପାଉଚ୍ ଓ ପଲିଥିନ ବ୍ୟବହାରର କୁପରିଣାମ ନେଇ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳବରାସୀଙ୍କୁ ଜନସଚେତନତା କରିବା ଲକ୍ଷ୍ୟରେ ପଥପ୍ରାନ୍ତ ସଭା ଠାରୁ ଆରମ୍ଭ କରି ନାଟକ ଓ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିପାରୁନାହିଁ । ପୌର ପରିଷଦର ଏନଫୋର୍ସମେଂଟ ଟିମ୍ ଦ୍ୱାରା ସହରର ବିଭିନ୍ନ ଦୋକାନ ଗୁଡ଼ିକରେ ଚଢାଉ କରାଯାଇ ବିପୁଳ ପରିମାଣରେ ପଲିଥିନ ଓ ପାଣି ପାଉଚ ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଇଥିଲା । କିଛି ଦିନର ବ୍ୟବଧାନ ପରେ ପୁଣି ସହରର ଛୋଟବଡ଼ ବ୍ୟବସାୟୀ ମାନେ ପଲିଥିନ ଓ ପାଣି ପାଉଚର ଅବାଧ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା । ବିଗତ ଦିନରେ ଚଢାଉରେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ସାମିଲ ହୋଇଥିଲେ । ପରବର୍ତି ସମୟରେ ବ୍ୟବସାୟୀ ମାନଙ୍କ ପଲିଥିନ ଓ ପାଣି ପାଉଚ ବିକ୍ରି ନେଇ ସକ୍ରିୟତା ଦେଖିବାକୁ ମଳିନଥିଲା । କିଛି ଦିନର ନିରବତା ପରେ ବ୍ୟବସାୟୀ ମାନେ ପୁୂଣି ଥରେ ପଲିଥିନ୍ ଓ ପାଣି ପାଉଚ ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ପୁଣି ଥରେ ପୌର ପରିଷଦର ଏନଫୋର୍ସମେଂଟ ଟିମ ସହାୟତାରେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢାଉ କରି ସେମାନଙ୍କ ଠାରୁ ବିପୁଳ ପରିମାଣରେ ପଲିଥିନ୍ ଓ ପାଣି ପାଉଚ ଜବତ କରାଯିବା ସହ ଜୋରିମାନା ବାବଦରେ ୧୪ ହଜାର ୭ ଶହ ଟଙ୍କା ଆଦାୟ କରାଯାଇଛି । ସେହିପରି ବୁଧବାର ସକାଳେ ବ୍ରହ୍ମପୁର ଠାରୁ ଏକ ପିକ୍ଅପ୍ ଭ୍ୟାନ (ଓଡ଼ି୦୭ଏ ୩୮୮୨) ଯୋଗେ ୫୦ ବସ୍ତା ପାଣି ପାଉଚ ବୋଝେଇ କରି ଜୈନିକ ବ୍ୟକ୍ତିଙ୍କ ଭୋଜି କାର୍ଯ୍ୟକୁ ଆସୁଥିବା ବେଳେ ପୌର ପରିଷଦର ଏନଫୋର୍ସମେଂଟ ଟିମ୍ ଚଢାଉ କରି ୫୦ ବସ୍ତା ପାଣି ପାଉଚ ଜବତ କରିବା ସହ ୩ ହଜାର ଯଙ୍କା ଜୋରିମାନା ଆଦାୟ କରିଥିଲେ । ଚଢାଉରେ ପୌର ପରିଷଦର କର୍ମଚାରୀ ଅଶ୍ୱିନି କୁମାର ନାୟକ, ବିବେକାନନ୍ଦ ମହାପାତ୍ର, ଅଭିରାମ ସାହୁ, ଭାସ୍କର ସାହୁ, ଲାଲମୋହନ ସେଠି, ଧନୁ ସ୍ୱାଇଁ, ଅଭିରାମ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ପଲିଥିନ ଓ ପାଣି ପାଉଚ ବ୍ୟବହାରରେ କୌଣସି ସୁଧାର ନଆସିଲେ ପରବର୍ତି ସମୟରେ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ