ବର୍ଷେ ତଳୁ ପୂରିଗଲାଣି କାର୍ଯ୍ୟକାଳ :-ଅସ୍ତରଙ୍ଗ ରେ ୬ରୁ ଉର୍ଦ୍ଧ କ୍ଲଷ୍ଟରରେ ନୂଆ ସିଆରସିସି କେବେ ?
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ୧୩ଟି କ୍ଲଷ୍ଟର ମଧ୍ୟରୁ ୬ଟିରେ ସିଆରସିସି ଙ୍କ କାର୍ଯ୍ୟକାଳ ବର୍ଷକରୁ ଅଧିକ ସମୟ ହେବ ପୂରିଯାଇଛି।ଅବଶିଷ୍ଟ ୭ଟି ମଧ୍ୟରୁ ଝାଡ଼ଲିଙ୍ଗ କ୍ଲଷ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଙ୍କ ମୃତ୍ୟୁ ବରଣ କଲା ପରେ ଖାଲି ପଡ଼ିଥିବା ବେଳେ ଅନ୍ୟ ୩ ଟି କ୍ଲଷ୍ଟର ସିଆରସିସି କାର୍ଯ୍ୟକାଳ ଖୁବଶୀଘ୍ର ପୂରଣ ହେବ ବୋଲି ଜଣାପଡିଛି। ଏହା ସହ ୩ଟି କ୍ଲଷ୍ଟରରେ ଦାୟିତ୍ୱରେ ଥିବା ସିଆରସିସି ୩ବର୍ଷହୋଇଛି। ଏଭଳି ସ୍ଥିତିରେ ସିଆରସିସି ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ ବ୍ଲକରେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଥାଉ କି, ସର୍ବଶିକ୍ଷା ଅଭିଯାନରୁ ସମଗ୍ର ଶିକ୍ଷା ଅଭିଯାନ କୁ ପରିବର୍ତ୍ତିତ ହୋଇଥିବା ଶିକ୍ଷା ବ୍ୟବସ୍ଥାରେ ବ୍ଲକସ୍ତରରେ ସିଆରସିସି, ଏବିଇଓ, ବିଇଓ ପଦବୀ ରହିଥିଲା ବେଳେ ଜିଲ୍ଲାସ୍ତରରେ ଡିଇଓ ପଦ ରହିଛି। ତୃଣ ମୂଳସ୍ତରରୁ ସିଆରସିସି ମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଇଓ କାର୍ଯ୍ୟାଳୟ ସହ ଯୋଗାଯୋଗ ରକ୍ଷା କରି ଶିକ୍ଷା ବ୍ୟବସ୍ଥାରେ ପ୍ରମୁଖ ଭୂମିକା ନେଉଛନ୍ତି। ବିଭିନ୍ନ ସମୟରେ ସରକାର ଙ୍କ ନୂତନ ଶିକ୍ଷାନୀତି ସମ୍ପର୍କରେ ସେମାନେ ସୂଚନା ଦେବା ସହ ଏହାର କାର୍ଯ୍ୟକାରିତା ତଥା ଅଗ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛନ୍ତି। ବିଇଓ ଅଫିସ ଓ ସ୍କୁଲ ସହ ଯୋଗାଯୋଗର ସେତୁ ପରି କାର୍ଯ୍ୟକରୁଥିବା ସିଆରସିସି ମାନଙ୍କର କାର୍ଯ୍ୟକାଳ ୫ବର୍ଷ ରହିଛି। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ୧୩କ୍ଲଷ୍ଟର ମଧ୍ୟରେ ପଢିୟାରୀ, ଡେରୁଣିଆ, ଅସନ, ବାଲିପନ୍ତାଳ, ଅସ୍ତରଙ୍ଗ, ଝାଡ଼ଲିଙ୍ଗ, ନାଗପୁର, ବଳଭଦ୍ରପୁର, ମାଣ୍ଡୁକି, ସରିପୁର, ଉଦୟପୁର, ଶିଶୁଅ ଓ ରାଇବେରୁଆଁ ରହିଥିବା ବେଳେ ସେଥି ମଧ୍ୟରୁ ୬ଜଣ ସିଆରସିସି ଙ୍କ କାର୍ଯ୍ୟକାଳ ଦୀର୍ଘ ଦିନ ହେବ ସରିଯାଇଛି। ସେମାନଙ୍କ ସ୍ଥାନରେ ନୂଆ ସିଆର ସିସି ନିଯୁକ୍ତି ପାଈଁ ପ୍ରକ୍ରିୟା ଏ ଯାଏଁ ଆରମ୍ଭ ହୋଇ ପାରିନାହିଁ। ଡିଇଓ ତଥା ଡିପିସି ଏ ନେଇ ପରୀକ୍ଷା କରାଇ କାର୍ଯ୍ୟକାଳ ପୂରି ଯାଇଥିବା ସିଆରସିସି ମାନଙ୍କ ସ୍ଥାନରେ ନୂଆ ସିଆରସିସି ନିଯୁକ୍ତି ଦେବାକୁ ସତେ ଯେମିତି ଭୁଲି ଯାଇଛନ୍ତି। ସେତିକି ନୁହେଁ ଜଣେ ମୃତ୍ୟୁ ଓ ୩ଜଣ ସିଆରସିସି ଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ କମ୍ ଦିନ ରହିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଅସ୍ତରଙ୍ଗ ବ୍ଲକରେ ଉଚ୍ଚ ବିଦ୍ୟାଳୟରୁ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ୧୩୧ଟି ସ୍କୁଲ ରହିଛି। ପ୍ରତ୍ୟେକ ସିଆରସିସି ଙ୍କ ଅଧୀନରେ ୮ରୁ ୧୦ଟି ବିଦ୍ୟାଳୟ ରହିଛି। ସିଆରସିସି ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ନିଜ ବିଦ୍ୟାଳୟ ସମେତ ତାଙ୍କ ଅଧୀନରେ ଥିବା ବିଦ୍ୟାଳୟରେ ଆବଶ୍ୟକ ସ୍ଥଳେ ଶିକ୍ଷାଦାନ କରିବାର ନିୟମ ରହିଛି। ମାତ୍ର କେତେକ ସିଆରସିସି ନିଜ ଦାୟିତ୍ୱ ନିର୍ବାହ କରୁ ନଥିବା ଅଭିଯୋଗ ହେଉଛି। ଏପରିକି, ଯେଉଁ ବିଦ୍ୟାଳୟ ଦୁଇ ଶିକ୍ଷକ ମଧ୍ୟରୁ ଜଣେ ଅନୁପସ୍ଥିତ ଥିବା ବେଳେ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।


