ଏପ୍ରିଲ ୨ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ଭୁବନେଶ୍ୱର, (ୱାଇଏନ୍ଏସ୍): ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁ ଆସନ୍ତା ଏପ୍ରିଲ ୨ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସିବେ । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ବା ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡ଼ା ବା ଅନ୍ୟାନ୍ୟ ଉପହାର ଆଦି ସିଧାସଳଖ ଦିଆଯାଇପାରିବ ନାହିଁ । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ଼ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କର ଆର୍.ଟି.ପି.ସି.ଆର୍. ପ୍ରକ୍ରିୟାରେ କୋଭିଡ୍-୧୯ ପରୀକ୍ଷା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ୱର ଓ କଟକ ପୌର ପରିଷଦ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଟକ ସ୍ଥିତ ସାରଳା ଭବନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ଦ୍ଧାରିତ ଉତ୍ସବ ମଂଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ୍ ଏବଂ ମଂଚ ଉପରୁ କୌଣସି ପ୍ରକାର ପ୍ରମାଣପତ୍ର, ମେଡାଲ ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କର ଆଇଟିପିସିଆର୍ କୋଭିଡ୍ ଟେଷ୍ଟ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସଭାସ୍ଥଳରେ ବସିବାକୁ ଥିବା ସମସ୍ତ ଶ୍ରୋତାମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯିବ । ସଭାର ଆୟୋଜକମାନେ ପରସ୍ପର ଠାରୁ ଛ ଫୁଟର ଦୂରତା ରଖି ବସିବା ବ୍ୟବସ୍ଥା କରାଇବେ । ବିମାନ ବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀମାନଙ୍କର କୋଭିଡ୍ ଟେଷ୍ଟ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିମାନ ବନ୍ଦର ଠାରୁ ଆରମ୍ଭ କରି ସଭାସ୍ଥଳ ଏବଂ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଇବାକୁ ଶ୍ରୀ ମହାପାତ୍ର ପୋଲିସ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


