ଏବେ ବି ପଥ ବହୁ ଦୂର

ଦୀର୍ଘ ୨୧ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜାତିଆଣ ହିଂସାକାଣ୍ଡ ମଣିପୁରରେ କ୍ଷମତାସୀନ ବିଜେପି ସରକାରଙ୍କୁ ସମର୍ଥନ କରି ସ୍ଥିତାବସ୍ଥାନ ବଜାୟ ରଖିବାକୁ କେନ୍ଦ୍ର ସରକାର ଉଦ୍ୟମ କରିବା ପରେ ଶେଷରେ ଏକ ସଙ୍ଗେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କୁ ହଟାଇ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି । ଯାହାକି ରାଜ୍ୟରେ ଏବେ ସବୁକିଛି ଏଣିକି ଭଲ ହେବା ନେଇ ଆଶା ସଂଚାର କରିଥିଲା । ମାତ୍ର ସେପରି କିଛି ପରିବର୍ତନ ଘଟିନାହିଁ । ଏହା ନିଶ୍ଚିତ ଯେ, ବିରେନ୍ ସିଂହଙ୍କ ସ୍ଥାନରେ ଅନ୍ୟଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ବିଜେପି ହାଇକମାଣ୍ଡ ଲକ୍ଷ୍ୟ ରଖିଥିଲେ । ମାତ୍ର ରାଜ୍ୟ ଶାଖା ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ଖୋଜିବାରେ ବିଫଳ ହେବା ପରେ ରାଷ୍ଟ୍ରପତି ଶାସନ ନିୟନ୍ତ୍ରଣାଧୀନ କରିବାକୁ ବାଧ୍ୟ ହୋଇଥିଲା । ଯାହାକି ଦଙ୍ଗାଗ୍ରସ୍ତ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାରେ ସବୁଠାରୁ ଉପଯୁକ୍ତ ପନ୍ଥା ଭାବେ ବିଜେପି ଭାବି ନେଇଥିବା ମନେହୁଏ । ଆହୁରି ମଧ୍ୟ ଗତ ୨୧ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ହିଂସାତ୍ମକ କାର୍ଯ୍ୟକଳାପରେ ସକ୍ରୀୟ ଥିବା ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ବି ରଖିଥିଲେ । ପୋଲିସ ଥାନା ଅସ୍ତ୍ରାଗାରରୁ ଲୁଟ ଅସ୍ତ୍ରଶସ୍ତ୍ର ଫେରାଇବା ଲାଗି ରାଜ୍ୟପାଳ ହିଂସାମୁଖୀ ଗୋଷ୍ଠୀଗୁଡିକୁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଅନ୍ତିମ ସମୟ ସୀମା ମଧ୍ୟ ଧାର୍ଯ୍ୟ କରିଥିଲେ । ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅସ୍ତ୍ରାଗାରରୁ ଲୁଟ୍ ୩୦୦୦ ଅସ୍ତ୍ରଶସ୍ତ୍ରରୁ ପ୍ରାୟ ଏକ ତୃତୀୟାଂଶ ଫେରିଥିଲା । ଏଥିରୁ ଆଶା କରାଯାଉଥିଲା ଯେ, ଜାତିଗତ ହିଂସାଗ୍ରସ୍ତ ମଣିପୁରରେ ଖୁବ ଶୀଘ୍ର ଶାନ୍ତି ଫେରି ଆସିବ । ମାତ୍ର ଗତ ୮ ତାରିଖ ଦିନ ହିଂସାକାଣ୍ଡ ତଥା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ୪୦ଜଣ ଆହତ ହେବା ଘଟଣା ଖୁବଶୀଘ୍ର ଶାନ୍ତି ଫେରିବା ଆଶାରେ ଭଟ୍ଟା ପଡିଯାଇଛି ବୋଲି କହିଲେ ଅତିରଂଜିତ ହୋଇନପାରେ । ଏବେ ବି ଲୁଟ ୩୦୦୦ ଅସ୍ତ୍ରଶସ୍ତ୍ରରୁ ଦୁଇ ତୃତୀୟାଂଶ ତଥା ୨୦୦୦ ଅସ୍ତ୍ରଶସ୍ତ୍ର ହିଂସା ସୃଷ୍ଟିକାରୀ ଗୋଷ୍ଠୀଙ୍କ ନିକଟରେ ରହିଯାଇଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ରାଜଧାନୀ ଇମ୍ପାଲ ସମେତ ପାର୍ବତ୍ୟାଚଂଳରେ ଘୁରି ବୁଲୁଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଜନସାଧାରଣ ତଥା ଉଭୟ ମୈତ୍ରେଇ ଓ କୁକି-ଜୋ ସମ୍ପ୍ରଦାୟର ଲୋକମାନେ ନିର୍ଭୟରେ ଚଳପ୍ରଚଳ କରିବାକୁ ସମର୍ଥ ହୋଇପାରିନାହାଁନ୍ତି । ଉଲ୍ଲେଖଯୋଗ୍ୟ ଯେ, କୁକି-ଜୋ-ସମ୍ପ୍ରଦାୟର ପ୍ରତିନିଧି ଭାବେ ନିଜକୁ ଦାବି କରୁଥିବା ଏକ ନାଗରିକ ସଂଗଠନ ଲୋକଙ୍କ ମୁକ୍ତ ଯାତାୟତ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିରୁଦ୍ଧରେ କଡା ଚେତାବନୀ ଦେବା ସହ କୁକି-ଜୋ ଅଧ୍ୟୁଷିତ ଅଂଚଳ ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନ କିମ୍ବା କେନ୍ଦ୍ରଶାସିତ ଅଂଚଳ ଗଠନ ଦାବି କରିଛି । ଏହା ନିଶ୍ଚିତ ଭାବେ ବିପଦଜନକ । କାରଣ ଏହା ଜାତିଗତ ହିଂସାକାଣ୍ଡକୁ ଆହୁରି ତେଜୀୟାନ କରିବ । କେବଳ ଏତିକି ନୁହେଁ ନାଗା ସମ୍ପ୍ରଦାୟର ମଧ୍ୟ ଏଭଳି ପଦକ୍ଷେପକୁ ଦୃଢ ବିରୋଧ କରିବାର ଆଶଙ୍କାକୁ ଅଣଦେଖା କରାଯାଇନପାରେ । ରାଜ୍ୟ ସରକାର ଦୁଇ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଯେକୌଣସି ସାନି ହିଂସାକଣ୍ଡ, ଉତେଜନାକୁ ଦୃଢ ଭାବେ ଦମନ କରିବା ଆବଶ୍ୟକ । ସେହିପରି ଯେକୌଣସି ବିଭାଜନକାରୀ ବା ପୃଥକ ଦାବିକୁ ମଧ୍ୟ ଦୃଢ ଭାବେ ପ୍ରତ୍ୟାଖ୍ୟାନ କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଲୁଟ ହୋଇଥିବା ଅବଶିଷ୍ଟ ଅସ୍ତ୍ରଶସ୍ତ୍ରକୁ ତୁରନ୍ତ ଉଦ୍ଧାର କରିବା ପାଇଁ ରାଜ୍ୟ ପ୍ରଶାସନ ଓ କେନ୍ଦ୍ର୍ରୀୟ ସୁରକ୍ଷା ବଳ ପଦକ୍ଷେପ ଗ୍ରହଣ କରିବା ଜରୁରୀ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ସମ୍ପୟଦାୟକୁ ସିଧାସଳଖ ଅପିଲ କରିବା ସହ ଗତ ୨୧ମାସ ମଧ୍ୟରେ ଥରେ ହେଲେ ଜାତିଆଣ ଦଙ୍ଗାଗ୍ରସ୍ତ ମଣିପୁରରେ ଗସ୍ତ କରିବେ ବୋଲି ରାଷ୍ଟ୍ରପତି ଶାସନ ଜାରି ପରେ ଆଶା କରାଯାଏ । ଏହା ନିସନ୍ଦେହ ଯେ, ଅଶାନ୍ତ ମଣିପୁରରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ସାମ୍ପ୍ରତିକ ପରିବେଶ ଦୃଷ୍ଟିରୁ ଆଶା କମ୍ । ଏବେ ବି ପଥ ବହୁ ଦୂର । ଦଳମତ ନିର୍ବିଶେଷରେ ସମସ୍ତେ ଓ ଉଭୟ ସମ୍ପ୍ରଦାୟର ନେତୃବର୍ଗ ଶାନ୍ତି ପ୍ରତିଷ୍ଠା ପାଇଁ ଅଗ୍ରାଧିକର ଭିତିରେ ପଦକ୍ଷେପ ନେବା ସାମ୍ପ୍ରତିକ ସମୟରେ ସବୁଠାର ବଡ ଆବଶ୍ୟକତା ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ