ଏବେ ବି ବଞ୍ଚିଛି ପରମ୍ପରା ଠାକୁରଙ୍କ ବିମାନ ସମ୍ମୁଖରେ ଜଳୁଛି ତିହୁଡି (ମଶାଲ)

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପବିତ୍ର ଫଗୁ ଦଶମୀ ତିଥି ଠାରୁ ଚାରିଛକ ସମେତ ରାଜ୍ୟ ସାରା ଆରମ୍ଭ ହୋଇ ଯାଇଛି ଲୋକ ପର୍ବ ଦୋଳ ଉତ୍ସବ। ଏକାଦଶୀ ତିଥି ଠାରୁ ଠାକୁର ମାନେ ମନ୍ଦିର ରୁ ବାହାରି ସ୍ଵ ସ୍ୱ ସୁସଜ୍ଜିତ ବିମାନରେ ଗାଁ ଗାଁ ବୁଲି ଖାଉଛନ୍ତି ଦ୍ଵାରୀ ଭୋଗ। ଠାକୁର ଙ୍କ ଚଳନ୍ତି ପ୍ରତିମାକୁ ବିମାନ ରେ ବସାଇ ବେହେରା ଗୋପାଳ ସେବକ ମାନେ ଗାଁ ଗାଁ ବୁଲାଉଥିବା ବେଳେ ଅନ୍ୟ ସେବକ ମାନେ ଛତ୍ରୀ, ଚାମର ଧରି ଘଣ୍ଟ, ସିଙ୍ଘା ବଜାଇ ଠାକୁର ଙ୍କ ଶୋଭାଯାତ୍ରା ରେ ସାମିଲ ହେଉଛନ୍ତି।ଗାଁ ଗାଁ ରେ ଉଜ୍ଜ୍ୱଳ ବିଦ୍ୟୁତ ଆଲୋକ ରହିଥିଲେ ମଧ୍ଯ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କ ବିମାନ ପାଖରେ ଜଳୁଛି ତିହୁଡ଼ି ବା ମଶାଲ।ଏହି ତିହୁଡ଼ି ବା ମଶାଲ କୁ ବାରିକ ସେବକ ମାନେ ହାତରେ ଧରି ଠାକୁର ଙ୍କ ବିମାନ ଆଗରେ ଚାଲିଥାନ୍ତି। ପ୍ରାଚୀ ଗବେଷକ ପଣ୍ତିତ ତ୍ରିଲୋଚନ ମିଶ୍ର କୁହନ୍ତି, ଅତୀତ ରେ ଉଜ୍ଜ୍ୱଳ ବିଦ୍ୟୁତ ଆଲୋକ ର ସୁବିଧା ନ ଥିଲା। ରାତି ର ଘନ ଅନ୍ଧାର ରେ ଠାକୁର ଙ୍କ ବିମାନ କୁ ବାଟ ଦେଖାଇବାକୁ ଏହି ମଶାଲ ଆଲୋକ ର ବ୍ୟବସ୍ଥା କରାଯାଇଥିଲା। ଯାହା ଏକ ପରମ୍ପରା ପାଲଟି ଆଜି ପର୍ଯ୍ୟନ୍ତ ରହି ଆସିଛି। ବିଭିନ୍ନ ଠାକୁର ଙ୍କ ବାରିକ ସେବକ ମାନେ ଏହି ମଶାଲ କୁ ସ୍ଵତନ୍ତ୍ର ଭାବେ ଶୁଦ୍ଧ ପୁତ୍ତ ଭାବେ ପ୍ରସ୍ତୁତ କରିଥାନ୍ତି। ଏକ ପିତ୍ତଳ ଦଣ୍ଡା ର ଉପରି ଭାଗ ରେ ସଫା ସୁତା ର କପଡ଼ା ରଖାଯାଇ ସେହି କପଡ଼ା ଉପରେ ଜଡ଼ା ଅଥବା ପୋଲାଙ୍ଗ ତେଲ ଢଳାଯାଇ ସେଥିରେ ଅଗ୍ନି ସଂଯୋଗ କରା ଯାଇଥାଏ। ତେଲ ଭିଜା କନା ଜଳି ଆଲୋକ ପ୍ରଦାନ କରାଯାଇଥାଏ। ସେହି ମଶାଲ ରେ କ୍ରମାନ୍ୱୟରେ ଏକ କୁମ୍ପି ରୁ ତେଲ ଢ଼ଳା ଯାଇଥାଏ। ଯେତେ ପବନ ହେଲେ ମଧ୍ୟ ମଶାଲ ଲିଭି ନଥାଏ।ଠାକୁର ମାନଙ୍କ ବିମାନ ସମ୍ମୁଖ ରେ ଜ୍ୱଳନ୍ତ ମଶାଲ ଧରି ବାରିକ ସେବକ ମାନେ ଆଗେଇ ଚାଲିଥାନ୍ତି। ବାରିକ ସେବକ ମାନେ ପୁରୁଷାନୁକ୍ରମେ ଏହି ସେବା କରି ଆସୁଛନ୍ତି। ଏହି କାର୍ଯ୍ୟ ପାଇଁ ସେମାନେ କିଛି ସ୍ଥାନ ରେ ଠାକୁର ଙ୍କ ଜମି ଭୋଗ ଦଖଲ କରି ପରିବାର ଚଳାଇ ଆସୁଥିବା ବେଳେ ଆଉ କିଛି ସ୍ଥାନରେ ମନ୍ଦିର ପ୍ରଶାସନ ଓ ସେବକ ମାନେ ସେମାନଙ୍କୁ କିଛି ପାଉଣା ଓ ଜଳିବା ପାଇଁ ତେଲ ପ୍ରଦାନ କରିବା ସହିତ ବିଭିନ୍ନ ଗ୍ରାମ ରୁ ଆଦାୟ ହେଉଥିବା ଭୋଗ ରୁ କିଛି ଖେଇ ହିସାବ ରେ ତାଙ୍କୁ ପ୍ରଦାନ କରାଯାଇଥାଏ। ଏବେ ସମୟ ବଦଳିଛି। ଗାଁ ଗାଁ ରେ ଉଜ୍ଜ୍ୱଳ ବିଦ୍ୟୁତ ଆଲୋକ ରହିଛି। କିଛି ଗାଁ ରେ ଗ୍ରାମବାସୀ ମାନେ ଉଜ୍ଜ୍ୱଳ ଆଲୋକ ଜଳାଇ ଶୋଭାଯାତ୍ରାରେ ଠାକୁର ମାନଙ୍କୁ ନିଜ ନିଜ ଗାଁ କୁ ପାଛୋଟି ନେଉଛନ୍ତି। କିନ୍ତୁ ଠାକୁର ଙ୍କ ବିମାନ ସମ୍ମୁଖ ରେ ଏହି ତିହୁଡି ବା ମଶାଲ ଜଳିବା ପରମ୍ପରା ବନ୍ଦ ହୋଇନାହିଁ। ଠାକୁର ମାନଙ୍କ ବିମାନ ସମ୍ମୁଖ ରେ ତିହୁଡ଼ି ବା ମଶାଲ ଜଳିବା ପରମ୍ପରା ରହି ଆସିଛି କାହିଁ କେତେ କାଳରୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ