ଏ.ଆଇ.ଟି.ୟୁ.ସି ରାଜ୍ୟ ସଭାପତିଙ୍କ ବିୟୋଗରେ ଶୋକ ପାଳନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଅଖିଳ ଟ୍ରେଡ୍ ୟୁନିୟନ(ଏ.ଆଇ.ଟି.ୟୁ.ସି)ର ରାଜ୍ୟ ସଭାପତି ତଥା ଜାତୀୟ ଉପସଭାପତି ଓଡିଶା କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ନେତା ଡଃ.ସୌରିବନ୍ଧୁ କରଙ୍କ ବିୟୋଗରେ ବନ୍ତ ଠାରେ ଶୋକ ପାଳନ କରାଯାଇଛି । କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ସମଦୂରତା ରକ୍ଷା କରାଯାଇ ଏ.ଆଇ.ଟି.ୟୁ.ସି ଜିଲ୍ଲା ନେତା ସାଥୀ ଶୁଭେନ୍ଦ୍ର ପ୍ରତାପ ମହାନ୍ତିଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡିଶାର ଶ୍ରମଜୀବି ଓ ଶ୍ରମିକ ଶ୍ରେଣୀର ସ୍ୱାର୍ଥରକ୍ଷା ତଥା ଶ୍ରମିକ ମାନଙ୍କର ସମସ୍ୟା ପାଇଁ ଏକ ଅସାଧାରଣ ସମର୍ପିତ ନେତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଛି । ବିଶେଷକରି ଖଣିଖାଦାନ, ଶିଳ୍ପ, ଅଙ୍ଗନୱାଡି, ଆଶାକର୍ମୀ, ବ୍ୟାଙ୍କ, ବୀମା, ବିଦ୍ୟୁତ୍ ଠାରୁ ଆରମ୍ଭ କରି ଅସଙ୍ଗଠିତ ଶ୍ରମିକ ଶ୍ରେଣୀର ସମସ୍ୟା ପାଇଁ ସାଥୀ ସୌରିବନ୍ଧୁଙ୍କର ଅବିରତ ପ୍ରଚେଷ୍ଟା ଶ୍ରମିକ ଶ୍ରେଣୀ ସବୁଦିନ ପାଇଁ ମନେରଖିବ ବୋଲି ବକ୍ତା ମାନେ କହିଥିଲେ । ବୈଠକରେ ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଂପାଦକ ରମେଶ ଜେନା, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଅଖିଳ ଭାରତ ଯୁବସଂଘ ଜିଲା ସଭାପତି ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ପବିତ୍ର ସେଠୀ, ଶ୍ରମିକ ନେତା ନାରାୟଣ ଜେନା, ରବିନ୍ଦ୍ର ସେଠୀ, ନୃସିଂହ ଦାସ, ଅବଦୁଲ୍ଲା ଖାଁ, ଉମାକାନ୍ତ ମହାପାତ୍ର, ଆନନ୍ଦ ଜେନା, ହଳଧର ସ୍ୱାଇଁ, ଅଭିମନ୍ୟୁ ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଅମରଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


