ଐତିହ୍ୟ କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ଆରମ୍ଭ ହେବ ଲଢେଇ

ବାଲେଶ୍ୱର : ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପରେ ରାଜ୍ୟକୁ ବାତ୍ୟା ଓ ବନ୍ୟା ଦାଉରୁ ରକ୍ଷା କରିବା ତଥା ନୌବାଣିଜ୍ୟର ବିକାଶ ସକାଶେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୮୮୦ ମସିହାରେ ସ୍ଥାପିତ ହୋଇଥିବା କୋଷ୍ଟ କେନାଲ ଯାହାକି ଅଧୁନା ଭଦ୍ରକ ଜିଲ୍ଲାର ମନ୍ତେଇ ନଦୀରୁ ବାହାରି ପଶ୍ଚିମ ବଙ୍ଗର ହୁଗୁଳି ନଦୀ ପର୍ଯ୍ୟନ୍ତ ବିସ୍ତାର ହୋଇଥିଲା । ତାହା ଆଜି ଜରାଜୀର୍ଣ୍ଣ ଓ ଲୁପ୍ତ ପ୍ରାୟ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି ଏକ ସମୟରେ ବାଲେଶ୍ୱର ଜିଲ୍ଲାର ଜୀବନରେଖା କୁହାଯାଉଥିବା କୋଷ୍ଟ କେନାଲ ବିଭିନ୍ନ ସମୟରେ ନିର୍ବାଚିତ ଲୋକ ପ୍ରତିନିଧି ଓ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ନିଜର ସତ୍ତା ହରାଇବାକୁ ବସିଥିବା ଏହି କେନାଲର ପୁନରୁଦ୍ଧାର ଲାଗି ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସାଙ୍ଗକୁ ଜୋରଦାର ଲଢେଇ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯୁବନେତା ବିକ୍ରମ ପଣ୍ଡା । ଅଏହି କେନାଲ ପୁନରୁଦ୍ଧାର ହେଲେ, ବନ୍ୟାପ୍ରବଣ ବାଲେଶ୍ୱରର ବନ୍ୟା ନିୟନ୍ତ୍ରଣ ସାଙ୍ଗକୁ ମତ୍ସଚାଷର ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇ ପାରନ୍ତା, ୧୫୦ ଫୁଟ୍ ଓସାର ବିଶିଷ୍ଟ ଏହି କେନାଲର ପୁନରୁଦ୍ଧାର ବାଲେଶ୍ୱର ଜିଲ୍ଲାରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବ । ସମ୍ପ୍ରତି ବିଦେଶ ରାଷ୍ଟ୍ରମାନଙ୍କରେ କେନାଲକୁ ଉପଯୋଗ କରି ଜଳ ପର୍ଯ୍ୟଟନ ମାଧ୍ୟମରେ (ଯଥା- ନୌକାବିହାର ଓ ଜଳକ୍ରୀଡା ଭଳି) କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରାଯାଉଥିବା ପରି କୋଷ୍ଟ କେନାଲରେ ମଧ୍ୟ ସମାନ ସୁଯୋଗ ସୃଷ୍ଟି କରାଯାଇ ପାରିବ । ପୋତି ହୋଇଥିବା ଏହି କେନାଲର ପୁନରୁଦ୍ଧାର ଏକାଧାରାରେ ବନ୍ୟା ନିୟନ୍ତ୍ରଣ, ମତ୍ସଚାଷ ଓ ଜଳ ପର୍ଯ୍ୟଟନର ସୁବିଧା ଓ ସୁଯୋଗ ସୃଷ୍ଟି କରାଯାଇ ପାରିବ ଯାହା ଜିଲ୍ଲା ବିକାଶରେ ଏକ ବଡ ମାଧ୍ୟମ ସାବ୍ୟସ୍ତ ହୋଇପାରନ୍ତା । ବାଲେଶ୍ୱର ଜିଲ୍ଲାର ନବ ନିର୍ବାଚିତ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ପର୍ଯ୍ୟଟନ ମନ୍ତ୍ରୀ, ଜିଲ୍ଲାର ସମସ୍ତ ନିର୍ବାଚିତ ବିଧାୟକଙ୍କୁ ଏ ବିଷୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟର ଜଳସମ୍ପଦ ମନ୍ତ୍ରୀଦ୍ୱୟଙ୍କୁ ଏକ ପ୍ରତିନିଧି ମଣ୍ଡଳ ଖୁବ୍ ଶୀଘ୍ର ଭେଟି ତାଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଯଥାଶୀଘ୍ର କୋଷ୍ଟ କେନାଲର ପୁନରୁଦ୍ଧାର କରିବାକୁ ଦାବି କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିକ୍ରମ ପଣ୍ଡା, ଅଶୋକ ଆଢ୍ୟ, ସୁଶାନ୍ତ କୁମାର ଋଣା, ଅଶୋକ ଦାସ, ଅନିଲ ସୁରିଆ, ସନ୍ତୋଷ ଦାସ (ଖ), ପ୍ରଦୀପ୍ତ ମହାପାତ୍ର, ସେକ୍ ଅଜଗର ଅଲ୍ଲୀ, ନିଶିତ୍ କୁମାର ବାରିକ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ