‘ଓଡ଼ିଶା ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଭୂମିକା’ ଶୀର୍ଷକ ଏକଦିବସୀୟ ଜାତୀୟ ପାଠଚକ୍ର

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଅବିଭାଜ୍ୟ ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଖଲ୍ଲିକୋଟ ରାଜ ପରିବାରର ମହାର୍ଘ ଅବଦାନ ଓଡ଼ିଆ ଜାତି କଦାପି ଭୁଲି ପାରିବ ନାହିଁ l ଖଲ୍ଲିକୋଟର ପ୍ରଜାବତ୍ସଳ ରାଜା ହରିହର ମର୍ଦ୍ଦରାଜଙ୍କ ସୁପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜ ଆଧୁନିକ ଓଡ଼ିଶା ଗଠନରେ ନେତୃସ୍ଥାନୀୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ବ୍ରହ୍ମପୁର ବିଶ୍ୱବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ମତବ୍ୟକ୍ତ କରିଛନ୍ତି lଆଜି ପୂର୍ବାହ୍ଣରେ ସ୍ଥାନୀୟ ଟାଟାବେଞ୍ଜ ଛକ ସ୍ଥିତ ଖଲ୍ଲିକୋଟ କଲେଜିଏଟ୍ ପବ୍ଲିକ୍ ସ୍କୁଲ୍ ମର୍ଦ୍ଦରାଜ ସମ୍ମେଳନ କକ୍ଷରେ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଓ ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଭୂମିକା’ ଶୀର୍ଷକ ଜାତୀୟ ପାଠଚକ୍ରକୁ ଉଦ୍ଘାଟନ କରି କୁଳପତି ପ୍ରଫେସର ଦାଶ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଜନକଲ୍ୟାଣକାରୀ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ l ଖଲ୍ଲିକୋଟ ଟ୍ରଷ୍ଟ୍ ପରିଚାଳନା ସମିତିର ସଂପାଦକ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପାଠଚକ୍ରର ଉଦ୍ଘାଟନୀ ଉତ୍ସବରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ମନ୍ମଥ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖଲ୍ଲିକୋଟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଜୀବନାଦର୍ଶ ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ତଥ୍ୟମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ l ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର୍ ଭଗବାନ ସାହୁ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଓଡ଼ିଶା ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଭୂମିକାର ବିଭିନ୍ନ ପର୍ଯ୍ୟାୟ ଓ ବିନ୍ଦୁ ସଂପର୍କରେ ଆଲୋଚନା କରିଥିଲେ l ସଭାପତି ମେଜର୍ ପାଢ଼ୀ ତାଙ୍କ ବକ୍ତବ୍ୟରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଜୀବନର ସଂକ୍ଷିପ୍ତ ଇତିବୃତ୍ତ ସଂପର୍କିତ ଅଭିଭାଷଣ ପ୍ରଦାନ କରିଥିଲେ l ଆର୍.ସି.ଏମ୍. ବିଜ୍ଞାନ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଡ. ବିଜୟ ଚନ୍ଦ୍ରାକ୍ଷ ଦେଓ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଅଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ (ଆଇ.କ୍ୟୁ.ଏ.ସି.) ଅଧିକାରୀ ଡ. ତ୍ରିନାଥ ସାହୁ ସ୍ୱାଗତ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଅଧ୍ୟାପିକା ଫାଲ୍ଗୁନୀ ହେମ୍ବ୍ରମ୍ ଧନ୍ୟବାଦ ଅର୍ପଣ କରିଥିଲେ lପାଠଚକ୍ରର ପ୍ରଥମ ବୈଷୟିକ ଅଧିବେଶନରେ ବିଶିଷ୍ଟ ରାଜନୀତି ବିଜ୍ଞାନ ବିଶାରଦ, ବାଗ୍ମୀ ପ୍ରବର ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ପୌରୋହିତ୍ୟ କରିଥିଲେ l ଆଲୋଚକ ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଓ ବିଜ୍ଞପ୍ରାଜ୍ଞ ଓଡ଼ିଆ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା ଓଡ଼ିଶାର ଶୌର୍ଯ୍ୟଶୀଳ ଇତିହାସ ସଂପର୍କରେ ଉଲ୍ଲେଖ ପୂର୍ବକ ଆଧୁନିକ ଓଡ଼ିଶା ନିର୍ମାଣରେ ଖଲ୍ଲିକୋଟ ରାଜା ରାୟ ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ଓ ମହନୀୟ ଅବଦାନର ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ lଦ୍ଵିତୀୟ ବୈଷୟିକ ଅଧିବେଶନରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପକ ଡ. ଶ୍ୟାମାପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ l ପ୍ରଫେସର୍ ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରଫେସର୍ ଲକ୍ଷ୍ମୀ ନାରାୟଣ ରାଉତ, ଡ. ସନ୍ତୋଷ କୁମାର ଦାଶ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଇତିହାସ ଅଧ୍ୟାପକ ଡ. ସୁଜିତ କୁମାର ପଣ୍ଡା ଆଲୋଚକ ରୂପେ ଯୋଗ ଦେଇଥିଲେ lପାଠଚକ୍ରର ଉଦ୍-ଯାପନୀ ଉତ୍ସବରେ ଖଲ୍ଲିକୋଟ ଟ୍ରଷ୍ଟ୍ ପରିଚାଳନା ସମିତି ଉପ-ସଭାପତି ଡ. ସାକେତ ରାମାରାଓ ପୌରୋହିତ୍ୟ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର୍ ଜୟନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି କ6ର୍ଣ୍ଣଲ୍ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ବକ୍ତବ୍ୟ ପ୍ରଦାନ କରିଥିଲେ l ନାଗାଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ପ୍ରଫେସର୍ ଡ. ଦାଶରଥି ଭୂୟାଁ ମୁଖ୍ୟବକ୍ତା, ବିଶ୍ୱଭାରତୀ ଶାନ୍ତି ନିକେତନ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ଶରତ କୁମାର ଜେନା ସମ୍ମାନିତ ବକ୍ତା ରୂପେ ତତ୍କାଳୀନ ଓଡ଼ିଶାର ସାମାଜିକ, ସାଂସ୍କୃତିକ ସ୍ଥିତି ସମ୍ବନ୍ଧରେ ଉଲ୍ଲେଖ ପୂର୍ବକ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଭୂମିକାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ l ଶେଷରେ ଖଲ୍ଲିକୋଟ କଲେଜିଏଟ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ