ଓରାଳି ଛକରେ ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗାଁ ମଧ୍ୟରେ ସଂଘର୍ଷ ଦୁଇଟି କାର ସମେତ ୭ବାଇକ ପୋଡି, ୫ଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗ୍ରାମ ମଧ୍ୟରେ ଦେଖାଦେଇଥିବା ବିବାଦ ଉଗ୍ରରୁପ ଧାରଣ କରିଥିଲା । ଗତକାଲି ରାତିରେ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ଦୁଇଟି କାର, ୭ଟି ବାଇକକୁ ପୋଡି ଦେଇଥିବାବେଳେ ୨୦ରୁ ଉର୍ଦ୍ଧ ଦୋକାନ ଭଙ୍ଗାରୁଜା ହେବାସହ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି । ଏପରିକି ଓରାଳି ପଞ୍ଚାୟତର ସରପଞ୍ଚଙ୍କ ଘରେ ଭଙ୍ଗାରୁଜା ଆପଣ୍ଡା ଲୋକମାନେ କରିବାସହ ତାଙ୍କ ଘରୁ ବହୁ ପରିମାଣର ସାମଗ୍ରୀ ଲୁଟିନେଇ ତାଙ୍କ ଘରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ଏସବୁ ପୁଲିସ ଉପସ୍ଥିତିରେ ହୋଇଥିଲେ ମଧ୍ୟ ସ୍ୱଳ୍ପ ସଂଖ୍ୟକ ପୁଲିସ ଥିବାରୁ ଏହାକୁ ରୋକିପାରିନଥିଲେ । ସେହିପରି ପର୍ଶୁରାମ ରାଉତଙ୍କ ଘରେ ଭଙ୍ଗାରୁଜା କରାଯିବା ସହିତ ତାଙ୍କ ଭଡାଘରେ ଦୋକାନ କରିଥିବା ଦୋକାନଗୁଡିକୁ ନିଆଁ ଲଗାଇଦେବା ସହିତ ତାଙ୍କ କାରଟିକୁ ମଧ୍ୟ ଜାଳି ଦେଇଛନ୍ତି । ଅପରପଟେ ଓରାଳି ଗ୍ରାମର ଲୋକମାନେ ଆପଣ୍ଡା ଦୋକାନ ଗୁଡିକୁ ଭଙ୍ଗାରୁଜା କରିବା ସହିତ ଅନେକ ଦୋକାନକୁ ଜାଳିଦେଇଛନ୍ତି । ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ବନ୍ତ ପୁଲିସ ଓ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ୍ଡା ଲୋକମାନେ ଓରାଳି ଶାଳଣିଆଁ ରାସ୍ତାକୁ ଅବରୋଧ କରିଦେବା ଦ୍ୱାରା ଓରାଳି ଶାଳଣିଆଁ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା । ଏହି ରାସ୍ତାଦେଇ ଯାତାୟତ କରୁତôବା ୭ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ପରେ ଆଜି ଅପରାହ୍ନ ୨ଟାବେଳେ ସେଠାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । ଏହି ୧୪୪ଧାରା ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଶାସନ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସୁଚନା କରୁଥିବା ଦେଖିବାକୁ ମିଳିଛି । ସେହିପରି ଗତକାଲି ରାତିରେ ବନ୍ତ ପୁଲିସ ଓରାଳି ଗ୍ରାମରୁ ୫ଜଣଙ୍କୁ ଗିରଫ କରିବା ନେଇ ଓରାଳି ଗ୍ରାମର ଲୋକମାନେ ନନ୍ଦିପଦା ଥାନା ଘେରାଉ କରିଥିଲେ । ସେମାନଙ୍କ ଯୁକ୍ତି ଯେ ଉଭୟ ଗ୍ରାମର ଲୋକମାନଙ୍କ ଭିତରେ ସଂଘର୍ଷ ଘଟିଲା । ଗୋଟିଏ ପକ୍ଷର ଲୋକଙ୍କୁ କାହିଁକି ଗିରଫ କରାଗଲା ଅନ୍ୟ ଗ୍ରାମର ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି ଆଜି ମଧ୍ୟାହ୍ନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ଏହି ବିବାଦର ସମାଧାନ କରିବାପାଇଁ ଉଦ୍ୟମ କରାଯିବ ସହିତ କ୍ଷତିଗ୍ରସ୍ଥ ଲୋକମାନଙ୍କୁ କ୍ଷତିପୁରଣ ଦିଆଯିବା ପରେ ଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ଗତ କିଛିମାସ ହେଲା ବିବାଦ ଦେଖା ଦେଇଛି । ୧୯୬୨ ମସିହାରେ ପୁର୍ତ୍ତ ବିଭାଗ ପକ୍ଷରୁ ଓରାଳି ଛକ ନାମରେ ଏକ ନାମ ଫଳକ ଲଗାଯାଇଥିଲା । ସେହିଦିନ ଠାରୁ ଏହା ଓରାଳି ଛକ ନାମରେ ନାମକରଣ ହୋଇଥିବାବେଳେ ଏବେ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମର ଲୋକମାନେ ଏହା ଆପଣ୍ଡା ଗ୍ରାମର ରାଜସ୍ୱ ସୀମାରେ ଥିବାରୁ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରାଯିବାକୁ ଦାବି କରି ଆସୁଥିଲେ । ଯାହାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଗତ ତିନିଦିନ ତଳେ ଓରାଳି ରାମନବମୀ ପଡିଆରେ ୭ଟି ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ସହିତ ଓରାଳି ଗ୍ରାମର କିଛି ଲୋକ ଏକଯୁଟ ହୋଇ ଏହାର ଦୃଢ଼ ପ୍ରତିବାଦ କରିବା ସହିତ ତୁରନ୍ତ ଉଭୟ ଜିଲ୍ଲାର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଥିଲେ । ଅନ୍ୟପଟେ ଆପଣ୍ଡା ଗ୍ରାମର ଗ୍ରାମବାସୀମାନେ ମଧ୍ୟ କିନ୍ତୁ ଗତକାଲି ଆପଣ୍ଡା ଗ୍ରାମ ପକ୍ଷରୁ ସେହି ଛକରେ ଆପଣ୍ଡା ଛକ ଲେଖାଥିବା ନାମ ଫଳକ ଲଗାଉଥିବାବେଳେ ଏହାକୁ ଓରାଳି ଗ୍ରାମର କିଛି ଯୁବକ ଆସି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ରାତି ୮ଟା ପରେ ଆପଣ୍ଡା ଗ୍ରାମର ଶତାଧିକ ଲୋକ ପହଞ୍ଚି ସେଠାରେ ଥିବା ଓରାଳି ଲୋକଙ୍କ ଉପରକୁ ଟେକା ପଥର ପୋପାଡିବା ସହିତ ୧୦ରୁ ଉର୍ଦ୍ଧ ଦୋକାନ ଭଙ୍ଗାରୁଜା ହେବା ସହିତ ନିଆଁ ଲଗାଇଦେଇଥିବା ବେଳେ ଦୁଇଟି କାରରେ ନିଆଁ ଲଗାଇ ଦେଇଥିଲେ । ଏହାର କିଛିସମୟ ପରେ ଓରାଳି ଗ୍ରାମର ଶତାଧିକ ଲୋକ ପହଞ୍ଚି ଆପଣ୍ଡା ଗ୍ରାମର ଦୋକାନ ଗୁଡିକୁ ଭଙ୍ଗାରୁଜା କରିବା ସହିତ ଲୁଟପାଟ କରି ନିଆଁ ଲଗାଇ ଦେଇଥିଲେ । ପୁଲିସ ଫୋର୍ସ ପହଞ୍ଚି ଯିବାରୁ ଓରାଳି ଗ୍ରାମର ଲୋକମାନେ ଓରାଳି ଫେରି ଯାଇଥିଲେ । ପୁନଶ୍ଚ ଆପଣ୍ଡା ଗ୍ରାମର କିଛି ଯୁବକ ପହଞ୍ଚି ବାକିଥିବା ଦୋକାନ ଓ ସରପଞ୍ଚଙ୍କ ଘରେ ଭଙ୍ଗାରୁଜା କରି ଲୁଟପାଟ କରିବା ସହିତ ନିଆଁ ଲଗାଇଦେଇଥିଲେ । ଏହିପରି ଦଙ୍ଗା ରାତି ୮ଟା ଠାରୁ ୧୧ଟା ପର୍ଯ୍ୟନ୍ତ ଚାଲିଥିଲେବି ପୁଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ଓରାଳି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବସନ୍ତିଆ ପଞ୍ଚାୟତର ଅଶୋକ ସାହୁଙ୍କ କହିବାକଥା ଯେ ଏହି ସ୍ଥାନଟିକୁ ନେଇ ବିବାଦ ଦେଖାଦେବାପରେ ଆପଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଜଣାଇଥିଲୁ । ତାଙ୍କ ନିଦେ୍ର୍ଦଶରେ ବନ୍ତ ତହସିଲ ପକ୍ଷରୁ ଏହାର ମାପଚୁପ କରାଯାଇ ଏହା ଆପଣ୍ଡା ସୀମାରେ ଥିବାରୁ ଆପଣ୍ଡା ଛକରେ ନାମିତ କରିବାପାଇଁ ଚେଷ୍ଟା କରିଥିଲୁ । ଯାହା ହେବାକଥା ତାହା ଶାନ୍ତି ଶୃଙ୍ଖଳାର ସହ ହେବାକଥା । କିନ୍ତୁ ଓରାଳି ଗ୍ରାମର କିଛି ଯୁବକଙ୍କ ପାଇଁ ଏପରି ଏକ ଦଙ୍ଗା ଘଟିଲା ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଫଳକ ବିବାଦ ପାଇଁ ବିଚରା ଛୋଟ ଛୋଟ ବ୍ୟବସାୟୀ ମାନେ କାହିଁକି ବଳି ପଡିଲେ । ସେମାନଙ୍କ କ୍ଷତିପୁରଣ କିଏ ଦେବ ।