ଓଡ଼ିଶାରେ ଲାଗିବ ୫୦୬ ସାନିଟାରୀ ନାପକିନ ଭେଣ୍ଡିଂ ମେସିନ

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ସାଧାରଣ ସେବା କେନ୍ଦ୍ର (ସିଏସସି)ରେ ୫୦୬ଟି ସାନିଟାରୀ ନାପକିନ ଭେଣ୍ଡିଂ ମେସିନ ଲାଗିବ । ଯାହା ଫଳରେ ଗ୍ରାମାଞ୍ଚଳ ମହିଳାଙ୍କୁ ସହଜରେ ସ୍ୱାସ୍ଥ୍ୟପ୍ରଦ ଉଜ୍ଜ୍ୱଳା ସାନିଟାରୀ ନାପକିନ ମିଳିବ । ଏହା ଫଳରେ ଗ୍ରାମୀଣ ମହିଳା ସୁସ୍ଥ ଜୀବନଯାପନ କରିବା ସହିତ ସିଏସସିରେ କାର୍ଯ୍ୟରତ ସ୍ୱୟଂସେବିକା ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଅଡିଟୋରିୟମରେ ଆୟୋଜିତ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ପୂର୍ବରୁ ୨୦ ଲକ୍ଷ ପରିବାର ପାଖରେ ଏଲପିଜି ଗ୍ୟାସ ସଂଯୋଗ ଥିବାବେଳେ ଉଜ୍ଜ୍ୱଳା ଆସିବା ପରେ ବର୍ତ୍ତମାନ ୮୦ ଲକ୍ଷ ପରିବାରଙ୍କୁ ଏଲପିଜି ସଂଯୋଗ ମିଳିଛି । ଏଲପିଜି ଯୋଗାଣକୁ ଆହୁରି ସୁବିଧାଜନକ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟର ୨ ହଜାର ସିଏସସିକୁ ଏଲପିଜି ବିତରଣ ଉପକେନ୍ଦ୍ର କରାଯିବ । ଏ ନେଇ ତୈଳ ବିପଣନ କମ୍ପାନୀ ଏବଂ ସିଏସିଗୁଡିକ ମଧ୍ୟରେ ବୁଝାମଣା ହୋଇଛି ।
କେନ୍ଦ୍ର ସରକାର ରାଜ୍ୟର ୩ ହଜାର ପଞ୍ଚାୟତକୁ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ରେଳ ଓ ସଂଚାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । କାରଣ ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ । ରେଳପଥର ବିକାଶ ଯେକୌଣସି ରାଜ୍ୟର ଅର୍ଥନୀତିର ବିକାଶ ପାଇଁ ଏକାନ୍ତ ଜରୁରୀ । ୪ ବର୍ଷ ପୂର୍ବେ ଓଡ଼ିଶାକୁ ରେଳ ବଜେଟରେ ବର୍ଷକୁ ହାରାହାରି ୯୦୦ କୋଟି ମିଳୁଥିôଲା ବେଳେ ଏବେ ୫୫୦୦ କୋଟି ମିଳୁଛି । ବିଗତ ୫ ବର୍ଷରେ ରେଳପଥ ବିକାଶ ନିମନ୍ତେ ମୋଦୀ ସରକାର ଓଡ଼ିଶାକୁ ୨୭ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥି ସହିତ ଖୋର୍ଦ୍ଧା-ବଲାଙ୍ଗୀର ଏବଂ ହରିଦାସପୁର-ପାରାଦୀପ ପରି ପ୍ରମୁଖ ରେଳ ପ୍ରକଳ୍ପକୁ ଯଥାଶୀଘ୍ର ସାରିବା ପାଇଁ କେନ୍ଦ୍ର ସରକାର ତତ୍ପର ଅଛନ୍ତି । ଅନେକ କ୍ଷେତ୍ରରେ ଭୂମି ଅଧିଗ୍ରହଣ ଏବଂ ହସ୍ତାନ୍ତର କାରଣରୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ଏଥିପାଇଁ ଭୂମି ଅଧିଗ୍ରହଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିହ୍ନା ଉପାନ୍ତ ଓଡ଼ିଶାରେ ବିଏସଏନଏଲର ଆହୁରି ୧୦୦ଟି ଟାୱାର ଲାଗିବ ବୋଲି ଘୋଷଣା କରିଥିଲେ । ଯାହା ଫଳରେ ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ନେଟୱାର୍କ ଅସୁବିଧା ଭୋଗିବାକୁ ପଡିବନାହିଁ । ଏହି ଅବସରରେ ଉଭୟ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଲୋକାର୍ପଣ କରିଥିଲେ । ଭୁବନେଶ୍ୱର ରେଳ ଷ୍ଟେସନର ଯାନ୍ତ୍ରିକ ନିଶୁଣିର ଶିଳାନ୍ୟାସ, ବ୍ରହ୍ମପୁର ରେଳ ଷ୍ଟେସନର ଯାନ୍ତ୍ରିକ ନିଶୁଣି ଓ ପାଦଚଲା ପୋଲର ଲୋକାର୍ପଣ, ତାଳଚେର ରେଳ ଷ୍ଟେସନର ବିଭିନ୍ନ ଯାତ୍ରୀ ସୁବିଧା ପ୍ରକଳ୍ପର ଲୋକାର୍ପଣ ସହିତ ବହୁ ପ୍ରମୁଖ ଟ୍ରେନର ନୂତନ ରହଣି ଘୋଷଣା କରିଥିଲେ । ତନ୍ମଧ୍ୟରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଢ଼େଙ୍କାନାଳ ରହଣି, ହାୱାଡା-ସତ୍ୟସାଇ ନୀଳୟ ପ୍ରଶାନ୍ତି ଏକ୍ସପ୍ରେସର ବାଲେଶ୍ୱର ରହଣି, ହଳଦିଆ-ମାଡ୍ରାସ ସୁପରଫାଷ୍ଟର ବାଲେଶ୍ୱର ରହଣି, ହାୱାଡା-କନ୍ୟାକୁମାରୀ ଏକ୍ସପ୍ରେସର ଭଦ୍ରକ ରହଣି, ପୁରୁଲିଆ-ଭିଲ୍ଲୁପୁରମ ଏକ୍ସପ୍ରେସର ଜଳେଶ୍ୱର ରହଣି, ପାରାଦୀପ-ପୁରୀ ଏକ୍ସପ୍ରେସର କଣାସ ରହଣି, ହାୱାଡା-ପୁରୀ ଏକ୍ସପ୍ରେସର ମାର୍କଣା ରହଣି, ନୂଆଦିଲ୍ଲୀ-ପୁରୀ ନୀଳାଚଳ ସୁପରଫାଷ୍ଟର ଢ଼େଙ୍କାନାଳ ରହଣି, କେନ୍ଦୁଝରଗଡ-ଭୁବନେଶ୍ୱର ପାସେରର ଧାନମଣ୍ଡଳ ରହଣି ଏବଂ ବଡବିଲ-ପୁରୀ ପାସେରର କଣାସ ରୋଡ ରହଣିର ଘୋଷଣା ହୋଇଥିଲା । ଏଥି ସହିତ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରଦାନ କରିଥିବା ୪୦୦ ନୂଆ ଉଜ୍ଜ୍ୱଳା ସାନିଟାରୀ ନାପକିନ ମେସିନର ଉଦ୍‍ଘାଟନ ଏବଂ ରାଜ୍ୟର ୨୦୦୦ ସିଏସସିରେ ଏଲପିଜି ବିତରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ତୈଳ ବିପଣନ କମ୍ପାନୀ ଏବଂ ସିଏସସି ମଧ୍ୟରେ ବୁଝାମଣା ହୋଇଥିଲା । ୧୧କୋଟି ଟଙ୍କା ବିନିମୟରେ ଓଡ଼ିଶାର ଗ୍ରାମାଂଚଳରେ ୭୫୨ଟି ସ୍ଥାନରେ ବିଏସଏନଏଲ ୱାଇଫାଇ ହଟସ୍ପଟ୍ ସେବା, ୱାଇଫାଇ ଚୌପାଲ ପ୍ରକଳ୍ପ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାର ୧୦୦ ଗ୍ରାମ ପଂଚାୟତରେ ୱାଇଫାଇ ସେବା, ରାଜ୍ୟର ୧୬ଟି ଜିଲ୍ଲାରେ ଏମପିଏଲଏସ-ଟିପି ନେଟୱାର୍କ ସୁବିଧା ଆଦି ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି । ସମାବେଶରେ ପୂର୍ବତଟ ରେଳ ବିଭାଗ, ବିଏସଏନଏଲ ଏବଂ ତୈଳ ବିପଣନ କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ