ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ: ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍) : ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ତୃଣମୂଳସ୍ତର ଖବରକୁ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ଉତ୍‌ଥାପନ କରି ପ୍ରଶାସନ ପାଖରେ ପହଞ୍ଚାଇବା ସହ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ଆବଶ୍ୟକ । ଯଦି ଗଣମାଧ୍ୟମ ସଠିକ୍ କାର୍ଯ୍ୟ ନକରେ, ତେବେ ଦୁର୍ନୀତି ବଢିବ । ଦୁର୍ନୀତି ରୋକିବାରେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ବେଶ୍ କିଛି ମାତ୍ରାରେ କଣ୍ଟା ସାଜୁଛି, ସମସ୍ତଙ୍କୁ ସଚେତନ କରୁଛି । ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମରେ କିଛି ଫରକ ନାହିଁ । ସମାଜ ତଥା ଅବହେଳିତଙ୍କ ପାଇଁ ସଦା କାର୍ଯ୍ୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଛନ୍ତି । ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟକ ଭାବେ ବିଜ୍ଞାନ, କାରିଗରୀ କୌଶଳ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ସାମାଜିକ ଗଣମାଧ୍ୟମ ଏବେ କିଭଳି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ତଥା ଦେଶ, ବିଦେଶକୁ ଗୋଟିଏ ପରିବାର ଭାବେ ଯୋଡ଼ିଛି ତାହା ଉପରେ ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରବିନ୍ଦ ଢାଲୀ, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସୂଚନା କମିଶନର ଦିଲିପ ବିଶୋଇ, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହରପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଅଶ୍ୱିନୀ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ