ଗଜପତି ଜିଲ୍ଲାରେ ଗଡିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା ରଥ
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗଡିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ । ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସଚେତନ କରିବ ଏହି ରଥ । ପାରଳାଖେମୁଣ୍ଡି ରାଜପ୍ରସାଦ ସମ୍ମୁଖରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ୯ଗୋଟି ପ୍ରଚାର ତଥା ସଚେତନତା ରଥକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ୯ ଗୋଟି ସଚେତନତା ରଥ ଜିଲ୍ଲାର ୭ଗୋଟି ବ୍ଲକ ଓ ପୌର ପରିଷଦ ଓ ଏନଏସି ଅଞ୍ଚଳର ସମସ୍ତ ଗ୍ରାମ ପରିକ୍ରମା କରବ । ଦେଶରେ ପ୍ରଥମଥର ରଜ୍ୟ ସରକାରଙ୍କ ଏକ ଆଦର୍ଶ ସ୍ୱାସ୍ଥ୍ୟ ସେବା ଯୋଜନା ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିରେ ଜିଲ୍ଲାର ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ହିତାଧିକାରୀ ଉପକୃତ ହେବେ । ଅକ୍ଟୋବର ମାସ ସୁଦ୍ଧା ସମସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବ୍ୟବସ୍ଥ ରହିଛି । ଜିଲ୍ଲାରେ ୪ଗୋଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଖପାଖ ଆନ୍ଧ୍ର ଓ ଓଡିଶାର ବହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀପଣ୍ଡା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଦାୟିତ୍ୱରେଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


