କଙ୍ଗାରୁ କୋର୍ଟ ଘଟଣା: ୭ଦିନ ଜଙ୍ଗଲରେ ରହିବା ପରେ ଘରକୁ ବାହୁଡିଲେ କ୍ୱାରାଣ୍ଟାଇନ୍ ଫେରନ୍ତା

ପାରଳାଖେମୁଣ୍ଡି, ୦୫ା୦୬(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ କଙ୍ଗାରୁ କୋର୍ଟର ନିର୍ଦ୍ଦେଶକ୍ରମେ ୭ଦିନ ଜଙ୍ଗଲରେ ଜୀବନ ବିତାଇଥିବା ୭ଜଣ କ୍ୱାରାଣ୍ଟାଇନ୍ ଫେରନ୍ତା ଘରକୁ ଫେରିଥିବା ସୁଚନା ମିଳିଛି । ଏଠାରେ ସୁଚନା ଯୋଗ୍ୟ, କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ଅତିବାହିତ କରି ସୁସ୍ଥ ହୋଇ ଗ୍ରାମକୁ ଫେରିଥିବା ୭ଜଣକୁ ଗ୍ରାମବାସୀମାନେ ଗ୍ରାମ ମଧ୍ୟକୁ ପୁରାଇ ଦେଇ ନାହାଁନ୍ତି । ଗ୍ରାମ କମିଟି ଦ୍ୱାରା ଏ ନେଇ ଏକ କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା । କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କୋର୍ଟର ନିର୍ଦ୍ଦେଶ କ୍ରମେ କ୍ୱାରାଣ୍ଟାଇନ୍ ଫେରନ୍ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ସହ ନିକଟସ୍ଥ ଜଙ୍ଗଲରେ ରହିବା ପାଇଁ କୁହାଯାଇଥିଲା । ଗତ ୭ଦିନ ହେଲା କଙ୍ଗାରୁ କୋର୍ଟର ନିର୍ଦ୍ଦେଶ କ୍ରମେ ଗ୍ରାମ ଛାଡି ଜଙ୍ଗଲରେ କୁଡିଆ ତିଆରି କରି ୭ଜଣ ଜୀବନ ବିତାଉଥିଲେ । ଘଟଣାଟି ଘଟି ୭ଦିନ ବିତିବାକୁ ଯାଉଥିଲେ ସୁଦ୍ଧା ପ୍ରଶାସନ କିମ୍ବା ପୋଲିସ ଠାରେ ଏ ନେଇ ଗତକାଲି ସୁଦ୍ଧା କୌଣସି ସୁଚନା ନ ଥିଲା । କେତେକ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ଓ ପ୍ରକାଶ ପରେ ପ୍ରଶାସନକୁ ସୁଚନା ମିଳିଥିଲା । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଆବାରସିଂ ଗ୍ରାମ ପଞ୍ଚାୟତର ଖାରିପଦା ଗ୍ରାମର ୭ଜଣ ଆବାରସିଂ ଠାରେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ । ୧୪ଦିନ ବିତିବା ପରେ ଏମାନଙ୍କ ନେଗେଟିଭ୍ ରିପୋର୍ଟ ଆସିବା ଯୋଗୁଁ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ସୁସ୍ଥ ଘୋଷଣା କରାଯାଇ ନିଜ ନିଜର ଘରକୁ ପ୍ରଶାସନ ପଠାଇ ଦେଇଥିଲେ । ହେଲେ ସଂପୃକ୍ତ ୭ଜଣ ରହୁଥିବା ଖାରିପଦା ଗ୍ରାମବାସୀମାନେ ଏମାନଙ୍କୁ ଗ୍ରମ ମଧ୍ୟକୁ ପୁରାଇ ଦେଲେ ନାହିଁ । ଗ୍ରାମବାସୀଙ୍କ ଦ୍ୱାରା ଏ ନେଇ ଏକ କଙ୍ଗାରୁ କୋର୍ଟର ଆୟୋଜନ ଖାରିପଦା ଗ୍ରାମରେ ଗତ ୭ଦିନ ତଳେ ହୋଇଥିଲା । କ୍ୱାରାଣ୍ଟାଇନ୍‌ରୁ ସୁସ୍ଥ ହୋଇ ୭ଜଣ ଗ୍ରାମକୁ ଫେରି ଥିଲେ ସୁଦ୍ଧା ପୁଣି କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଙ୍ଗାରୁ କୋର୍ଟ ଗ୍ରାମରୁ ଏମାନଙ୍କୁ ବାସନ୍ଦ କରିଥିଲା । ନିକଟସ୍ଥ ଜଙ୍ଗଲରେ ଏମାନଙ୍କୁ ରହିବା ପାଇଁ ଏହି କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏଥିରେ ଗ୍ରାମରୁ ବିତାଡିତ ହୋଇ ଘରକୁ ନ ଯାଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଅସ୍ଥାୟୀ କୁଡିଆ ତିଆରି କରି କ୍ୱାରାଣ୍ଟାଇନ୍ ଫେରନ୍ତା ୭ଜଣ ଜୀବନ ବିତାଉଥିଲେ । ଖାଦ୍ୟପେୟ ଓ ପିଇବାପାଣି ଗ୍ରାମବାସୀମାନେ ଏମାନଙ୍କୁ ଯୋଗାଉଥିଲେ । ଏହି ଘଟଣାର ୭ଦିନ ପରେ ପ୍ରଶାସନ ଜାଣିବା ପରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥିଙ୍କୁ ଏହାର ସମାଧାନ ପାଇଁ ଘଟଣାସ୍ଥଳକୁ ପଠାଯାଇଥିଲା । ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସବୁକିଛି ଜଣାଇବା ପାରେ ଗ୍ରାମବାସୀମାନଙ୍କ ସହଯୋଗରେ ଏମାନଙ୍କୁ ନିଜନିଜର ଘରକୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ