କନ୍ଧମାଳରେ ରାଜ୍ୟସ୍ତରୀୟ ଆଇନଜୀବୀ ସଂଘର ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆଠାରେ ୫୨ତମ ରାଜ୍ୟସ୍ତରୀୟ ଆଇନଜୀବୀ ସଂଘର ୨ ଦିନିଆ ସମ୍ମିଳନୀ ଶୁକ୍ରବାର ଉଦ୍‌‌ଘାଟିତ ହୋଇଯାଇଛି। କନ୍ଧମାଳ ଜିଲା ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଇନଜୀବୀମାନେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌‌ବୋଧନ ଦେଇ ସମ୍ମିଳନୀର ଉତ୍ତରୋତର ଉନ୍ନତି କାମନା କରିବା ସହିତ ଏହି ଅବସରରେ ଆଇନଜୀବୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ୱେଲଫେୟାର ଫଣ୍ଡ ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଉଥିବା ନେଇ ଘୋଷଣା କରିଥିଲେ। ଏହା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମଧ୍ୟ ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ଆଇନଜୀବୀ ସଂଘର ସଭାପତି ବିରେନ୍ଦ୍ର କୁମାର ପଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଫୁଲବାଣୀ ଆଇନଜୀବୀ ସଂଘର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ମିଶ୍ର ଅତିଥି ପରିଚୟ ଏବଂ ରାଜ୍ୟ ସଂଘର ଅଧ୍ୟକ୍ଷ ଜ୍ଞାନ ରଂଜନ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌‌ ଭି.ଗୋପାଳ ଗୌଡ଼ା ଏବଂ ଅନ୍ୟତମ ଅତିଥିଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ସୁପ୍ରିମକୋର୍ଟ ଆଇନଜୀବୀ ସଂଘର ସଭାପତି ଡ଼.ଆଦିସ ଚନ୍ଦ୍ର ଅଗ୍ରୱାଲା, ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲା ଆଇନଜୀବୀ ସଂଘର ସଭାପତି ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଉଦ୍‌‌ବୋଧନ ଦେଇଥିଲେ। ଏହି ଅବସରେ ରାଜ୍ୟ ସଂଘର ସଂପାଦକ ସଂଜିିତ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଫୁଲବାଣୀ ଆଇନଜୀବୀ ସଂଘର ସଂପାଦକ କମଳ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ପୁସ୍ତକ ‘ଦି ଲୟର’ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ଆଇନଜୀବୀ ସଂଘର କାର୍ଯ୍ୟକାରୀ ସଭାପତି ନନ୍ଦନ ନନ୍ଦ ଶତପଥୀ ଓ ଆଇନଜୀବୀ ଅଜିତ କୁମାର ପଟନାୟକ ପରିଚାଳନା କରିଥିଲେ। ଏହି ସମ୍ମିଳନୀ ଅବସରରେ ଅତିଥି ମାନଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବୀମାନଙ୍କୁ ମଧ୍ୟ ଉତ୍ତୋରୀୟ ଏବଂ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉଦ୍‌ଘାଟନୀ ସଭା ପରେ ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ରାଜ୍ୟ ଆଇନଜୀବି ସଂଘର ପ୍ରଶାନ୍ତ ସାହୁ ଏବଂ ଫୁଲବାଣୀ ସଂଘର ବରିଷ୍ଠ ଆଇନଜୀବୀ ଭି.ଭି.ରାମଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ଭବାନୀ ଶଙ୍କର ନାୟକ(ଆମେରିକା), ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ମହାପାତ୍ର , ଭକ୍ତ ଭୂଷଣ ବାରିକ, ବିଭୂ ପ୍ରସାଦ ତ୍ରିପାଠୀ, ସୀତାଂଶୁ ମୋହନ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜ୍ୟ ଆଇନଜୀବି ସଂଘର ସଂପାଦକ ମନୋରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସଂନ୍ଧ୍ୟାରେ ୨୦୨୩ ମସିହାରେ ସମଗ୍ର ରାଜ୍ୟରେ ଯେଉଁ ସବୁ ଆଇନଜୀବୀମାନଙ୍କର ଦେହାନ୍ତ ହୋଇଛି ସେମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଆଇନଜୀବୀ ସାମିଲ ହୋଇଥିଲେ। ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ଫୁଲବାଣୀରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ