କନ୍ଧମାଳ ଜିଲ୍ଲାକୁ ବସ୍ ଆସିବ ନାହିଁ କି ଯିବ ନାହିଁ : ଜିଲ୍ଲା ପ୍ରଶାସନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) କଟକଣା କୋହଳ ହେଲା। ସରକାର ବସ ଚଳାଚଳ ପାଇଁ ଅନୁମତି ଦେଲେ। ଯାହା ଫଳରେ ଦୀର୍ଘ ୩ ମାସପରେ ବସ ଗଡିଲା। ଏଥି ଯୋଗୁ ବହୁ ଅସୁବିଧାରେ ଥିବା ବସ ମାଲିକ ଓ କର୍ମଚାରୀ ବି ଖୁସି ହୋଇଥିଲେ। ହେଲେ କରୋନା ସଂକ୍ରମଣ ଦିନକୁ ଦିନ ବେଶୀ ମାତ୍ରାରେ ବଢି ଚାଲିଥିବାରୁ ବସ ଆଉ ଚଳାଚଳ କରିପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପୁଣି ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମା ଅନୁଯାୟୀ କନ୍ଧମାଳରୁ ଗଞ୍ଜାମ, ଗଜପତି, ଭୁବନେଶ୍ୱର, କଟକ, ରାୟଗଡାକୁ ଆଉ ସରକାରୀ ଓ ବେସରକାରୀ ବସ ଅନିର୍ଦ୍ଧିଷ୍ଟ କାଳ ଯାଏ ଚଳାଚଳ କରିବ ନାହିଁ। ସେସବୁ ସ୍ଥାନରୁ କନ୍ଧମାଳକୁ ବସ ମଧ୍ୟ ଆସି ପାରିବ ନାହିଁ। ଅନ୍ୟ ଜିଲ୍ଲାକୁ କନ୍ଧମାଳ ଦେଇ ବସ ଯିବାରେ ଅସୁବିଧା ନାହିଁ। ହେଲେ ଏଠାରେ ବସ ରହିବ ନାହିଁ କି କେହି ଯାତ୍ରୀ ଚଢିବେ ନାହିଁ କି ଓହ୍ଲାଇ ପାରିବେ ନାହିଁ। ଏଭଳି ନିର୍ଦ୍ଦେଶନାମା ପ୍ରଶାସନ ଜାରି କରିଥିବା ବେଳେ କେହି ଅମାନ୍ୟ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି।ହେଲେ କନ୍ଧମାଳ ଜିଲ୍ଲା ମଧ୍ୟରେ ବସ ଚଳାଚଳ କରି ପାରିବ ବୋଲି କୁହାଯାଇଛି। ଏଥି ସହ ବାହାରୁ ଜିଲ୍ଲାରୁ କେହି କନ୍ଧମାଳକୁ ଆସି ପାରିବେ ନାହିଁ। ବାହାରକୁ ମଧ୍ୟ କେହି ଯାଇ ପାରିବେ ନାହିଁ। ଜରୁରୀ କାମରେ ଅନୁମତି ନେବାକୁ ହେବ। ତାହା ପୁଣି ଉପଯୁକ୍ତ ପ୍ରମାଣ ଦେଖାଇବାକୁ ପଡିବ। ବିଶେଷତଃ ଗଞ୍ଜାମ ଜିଲ୍ଲାରୁ କେହି ଜରୁରୀ କାମରେ କନ୍ଧମାଳ ଆସିବାକୁ ଚାହିଁଲେ ଫୁଲବାଣୀ ଓ ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ଇ-ମେଲରେ ଆବେଦନ କରିବାକୁ ପଡିବ। କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ ନିୟମ ଅନୁଯାୟୀ ଏସବୁ ନିର୍ଦ୍ଦେଶନାମାକୁ ସମସ୍ତେ ପାଳନ କରିବାକୁ କୁହାଯାଇଛି। ସରକାରଙ୍କ ନିୟମ ମାନନ୍ତୁ। ଘରେ ରୁହନ୍ତୁ,ସୁସ୍ଥ ରହୁନ୍ତି। ଆଉ ସହଯୋଗ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆଜିଠାରୁ ଅନିର୍ଦ୍ଧିଷ୍ଠ କାଳ କାଳ ଯାଏ ବସ ଚଳାଚଳ ବନ୍ଦ ହେଉଥିବାରୁ ଏହାକୁ ନେଇ ବସ ମାଲିକ ଓ କର୍ମଚାରୀଙ୍କ ଚିନ୍ତା ବଢି ଯାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ବସ ଚଳାଚଳ ବନ୍ଦ କରିବାକୁ ପ୍ରଶାସନର ନିଷ୍ପତିକୁ ମାଲିକ ଓ କର୍ମଚାରୀ ସ୍ୱାଗତ କରିଛନ୍ତି। ହେଲେ ଅନ୍ୟମାନଙ୍କ ଭଳି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ