କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲ ଲୋପ ପାଉଛି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ବିଶ୍ୱରେ ପରିବେଶକୁ ନେଇ ଚିନ୍ତା ପ୍ରକଟ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶକୁ ସନ୍ତୁଳନ ରଖିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏ ନେଇ ସବୁସ୍ତରରେ ବିଶ୍ୱ ପରିବେଶ ଦିବସ ପାଳନ କରାଗଲା। କିନ୍ତୁ ଏହା କେବଳ ନାରା ବାଜିରେ ସୀମିତ।ତାହା ପ୍ରମାଣିତ ହୋଇଛି।ଜଙ୍ଗଲ ସୁରକ୍ଷା ପାଇଁ ବୃକ୍ଷରୋପଣ, ଜଙ୍ଗଲ ସଂରକ୍ଷଣ ଆଦି ବାର୍ତ୍ତା ସମସ୍ତେ ଦେଉଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପାଳନ ହେଉନଥିବାରୁ ଏହା ପ୍ରହସନରେ ପରିଣତ ହେଉଛି। କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲ କ୍ଷୟକୁ ଦେଖିଲେ ଏହା ସହଜେ ଅନୁମେୟ । କନ୍ଧମାଳ ଜିଲ୍ଲାରେ ଏପରି ଅନେକ ଜଙ୍ଗଲ କ୍ଷୟ ହେବାରେ ଲାଗିଛି , ସେଥି ମଧ୍ୟରୁ ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅଞ୍ଚଳରେ ହେକ୍ଟର ହେକ୍ଟର ଜଙ୍ଗଲ ଓ ପାହାଡ଼ରେ ଥିବା ବଡ ବଡ଼ ଗଛ ଲଣ୍ଡା ହେଉଥିବା ବେଳେ ପଡୁ ଚାଷ ମୁଖ୍ୟ ଚିନ୍ତା ସୃଷ୍ଟି କରିଛି l ବନ ବିଭାଗର ନିରବ ଦ୍ରଷ୍ଟା ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ବୃକ୍ଷରୋପଣ ତ ଦୂର କଥା ବୃକ୍ଷ ନଷ୍ଟକୁ ମଧ୍ୟ ରୋକିବାରେ ବନ ବିଭାଗ ବିଫଳ ହୋଇଛି। ବେଲଘର ଜଙ୍ଗଲ ହାତୀ ଅଭୟାରଣ୍ୟ ସୀମା ମଧ୍ୟରେ ରହିଥିବା ବେଳେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ ହେଉଛି କିନ୍ତୁ ବାସ୍ତବରେ ଏହି ଅଭୟାରଣ୍ୟରେ ଗୋଟିଏ ବି ହାତୀ ଠିକ ଭାବେ ରହିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି ଓ ଏହା ଚିତ୍ର କଣ ଉପର ଅଧିକାରୀଙ୍କ ଠାରୁ ତଳିଆ କର୍ମଚାରୀ ସମସ୍ତେ ଜାଣନ୍ତି।ଜଙ୍ଗଲରେ ନିଆଁ ଓ ଜଙ୍ଗଲ ନଷ୍ଟ ଯୋଗୁଁ ବନ୍ୟଜନ୍ତୁ ଓ ସରୀସୃପ ଗ୍ରାମାଭିମୁଖୀ ହେଉଛନ୍ତି। ଜଙ୍ଗଲ ଓ ପରିବେଶ ଏବେ ସଙ୍କଟରେ ଏହାର କୁପ୍ରଭାବ ମଣିଷ, ପଶୁ ପକ୍ଷୀ, ଜୀବଜଗତ ଉପରେ ପଡୁଛି। ସନ୍ତୁଳିତ ପରିବେଶ ବିଗିଡି ଯାଉଥିବା ବେଳେ ଏହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ଦେଖାଦେଉଛି। ବର୍ଷାରେ ଅନିୟମିତତା, ଆବଶକ୍ୟତା ଠାରୁ କମ ବର୍ଷା ଯୋଗୁଁ ଚାଷ ତଥା ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଫଳରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅଧିକ ହୋଇଛି l ତାପମାତ୍ରା ୪୦ଡିଗ୍ରି ଉପରେ ଛୁଇଁଛି । ବର୍ତ୍ତମାନ ବେଲଘର ଜଙ୍ଗଲରେ ଆଗଭଳି ଆଉ ଘଞ୍ଚ ଜଙ୍ଗଲ ନାହିଁ l ବହୁ ଝରଣା ମଧ୍ୟ ଶୁଖି ଗଲାଣି l ପ୍ରାକୃତିକ ଜଙ୍ଗଲକୁ କୃତ୍ରିମ ଜଙ୍ଗଲ ଦ୍ୱାରା ଭରଣ କରାଯାଇପାରୁନାହିଁ। ସେହିପରି ଜଙ୍ଗଲର ସୁରକ୍ଷା କରାଗଲେ ପ୍ରାକୃତିକ ଜଙ୍ଗଲ ଆପେ ଆପେ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି।।


