କରଗୋଳା ବେଆଇନ ବାଲି ଘାଟକୁ ବନ୍ଦ କରିପାରୁନି ପ୍ରଶାସନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ଆମ୍ବୋ ପଞ୍ଚାୟତର କରଗୋଳା ବୈତରଣୀ ବାଲି ଘାଟରୁ ବେଆଇନି ବାଲି ଚୋରା ଚାଲାଣ ହେଉଥିବାବେଳେ ମାଇନଂ ବିଭାଗ ଚୁପ ବସିଯାଇଛି । ଦୈନିକ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ଘଟୁଥିବା ଅଭିଯୋଗ ହେଉଛି । ବେଳେ କିଛି ମୁଷ୍ଟିମେୟ ବାଲି ମାଫିଆଙ୍କ ଦ୍ୱାରା ଏହି ବେଆଇନ ବାଲି ଉତ୍ତୋଳନ କରାଯାଉଥିବାବେଳେ କେହି ଗ୍ରାବବାସୀ ବିରୋଧ କଲେ ତାଙ୍କୁ ଧମକ ଚମକ ଦିଆଯାଉଛି । ଯାହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିବାକୁ ସାହାସ କରୁନାହାନ୍ତି । ଶହଶହ ଟ୍ରାକ୍ଟର ଯିବାଆସିବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗ କରୁଥିବାବେଳେ ସାଧାରଣ ଲୋକମାନେ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି । ଏନେଇ ଗତକାଲି କିଛି ଗ୍ରାମବାସୀ କେନ୍ଦୁଝର ମାଇନିଙ୍ଗ ଅଫିସରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଯଦି ପ୍ରଶାସନ ଏହି ବେଆଇନ ବାଲି ଘାଟକୁ ବନ୍ଦ ନକରେ ତେବେ ଆଗାମି ଦିନରେ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି । ସେହପରି ନନ୍ଦିପଦା ପୁଲିସ ବୁଧବାର ରାତିରେ ଦୁଇଟି ବାଲିବୋଝେଇ ଟ୍ରାକ୍ଟରକୁ ବଡରମ୍ପାସ ନିକଟରୁ ଜବଦ କରିଥିବାବେଳେ ଦୁଇ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ରାତିରେ ଗୋଟିଏ ନମ୍ବର ବିହୀନ ବାଲିବୋଝେଇ ଟ୍ରାକ୍ଟରକୁ ପୁଲିସ ଜବଦ କରିଥିବା ନେଇ ଆଜି ଯୋରଦାର ଚର୍ଚ୍ଚା ହେଉଛି । ଜବଦ ଟ୍ରାକ୍ଟରଟି ଥାନାକୁ ଯିବା ପୁର୍ବରୁ ଚମ୍ପଟ ମାରିଥିବା ନେଇ ଆଲୋଚନା ହେଉଛି ।


