କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକ

କରୋନାର କରାଳ କାଳ ବଳୟରେ ସମଗ ୍ରବିଶ୍ୱ ଆଜ ିଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷମନରେ ନିଆଁଲାଗିଛି – ନିଆଁଲାଗିଛି ପ୍ରବଂଚିତ ଜନତାର ସଂଚିତ ସ୍ୱପ୍ନରେ! ସବୁଦେଶର ଦିଗନ୍ତରେ ଘନିଭୂତ ଅନ୍ଧକାର ରାତ୍ରୀ । ଯେଉଁଠି ଚାହିଁଲେ ବିକେବଳ ଗଦା ଗଦା ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ୱପ୍ନଭଙ୍ଗର କରୁଣକ୍ରନ୍ଦନ । ହଠାତ୍ ଏକ ଅଦୃଶ୍ୟ ଭୂତାଣୁର ଆକ୍ରମଣରେ ସମଗ୍ର ବିଶ୍ୱରେ କୋକୁଆ ଭୟ ଦେଖାଦେଇଛି । ଏହ ିଭୂତାଣୁକୁ ରୋକିବା ପାଇ ଁକୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାଁନ୍ତି । କରୋନାର କରାଳ କାଳ ବଳୟରେ ଏ ବିଶ୍ୱ ପ୍ରତିଦିନ ଧ୍ୱଂସ ଆଡକୁ ଗତିକରୁଛି । ସମଗ୍ର ଜୀବ ଜଗତ ଭବିଷ୍ୟତରେ କିଭଳି କ୍ଷତି ଗ୍ରସ୍ତ ହେବାକୁ ଯାଉଛନ୍ତି ତାହା ଏବେଠୁ କଳନା କରିବା କଷ୍ଟକର ।

ସତ କଥା ଲେଖିବାକୁଗଲେ – କେବଳ ଭୟ, କଷ୍ଟ, ମୃତ୍ୟୁ ଛଡା ଆଉକିଛି ଦେଖାଯାଉନି । ଏଭଳି ଏକ କାଳ ଖଣ୍ଡରେ ଆମେ ପହଂଚି ଯାଇଛେ – ସତେ ଯେମିତି କଳି କାଳ ପରେ ମହା କଳି କାଳ ମାଡି ଆସିଛି । ଆମେ ସବୁ କଳିଯୁଗର ମଣିଷ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗର କଥା ଶୁଣିଆସୁଛେ । ଏ ତିନିଯୁଗ ପରେ କଳିଯୁଗରେ କ’ଣ କ’ଣ ସବୁ ଘଟିବ, ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି । ସେହି ମହାପୁରୁଷ ମାନଙ୍କ ବାଣୀ ଆମେ ଶୁଣି ମଧ୍ୟ ଅଶୁଣା ଥିଲୁ । ଏବେ କରୋନା ଆମକୁ ବାଧ୍ୟ କରୁଛି ଶୁଣିବାକୁ, ଭୋଗିବାକୁ ।

କଥାରେ ଅଛି – ସମ୍ପଦ ଯେତେ ବେଳେ ଆସେ ସାଙ୍ଗ ସାଥୀ ନେଇ ଆସେ – ସେଇ ଭଳି ବିପଦ ମଧ୍ୟ ଆସେ । ଏବେ କରୋନା ମହାମାରୀ ବେଳେ ବାତ୍ୟା, ମହା ବାତ୍ୟା, ଖାଦ୍ୟାଭାବ, ପଙ୍ଗପାଳ ଆକ୍ରମଣ ସବୁ ଏକା ସାଙ୍ଗରେ ମାଡିଆସୁଛି । ଏବେ କେତେକ ବୈଜ୍ଞାନିକ କହୁଛନ୍ତି କରୋନା ସହିତ ଅନ୍ୟ ଅଦୃଶ୍ୟ ଭୂତାଣୁମାନେ ମାଡି ଆସିବେ । ସମଗ୍ର ବିଶ୍ୱରେ ଅଶି କୋଟିରୁ ଅଧିକ ମଣିଷ ଲୋପ ପାଇବେ! ଏ ତ ଭବିଷ୍ୟତ ବାଣୀ – ଅଶି କୋଟିକି ଆହୁରି ବେଶି ଏବେଠୁ କିଛି କହି ହେବନି । ରୋଗ କେବଳ ଜୀବନ ନେବନି – ତା’ଠାରୁ ବେଶି ଭୋକରେ ମରିବେ । ଭୟଙ୍କର ଦୁର୍ଭିକ୍ଷ ମାଡି ଆସିବ । କିଛି ଅବିବେକି ଦେଶ ଯଦି ଯୁଦ୍ଧରେ ମାତିଯାଆନ୍ତି – ତା’ହେଲେ ରୋଗ ଓ ଭୋଗ କବଳରେ ଆଉଟୁ ପାଉଟୁ ହେଉଥିବା ମଣିଷ ଓ ସୈନ୍ୟ ଯୁଦ୍ଧରେ ମଧ୍ୟ ମୃତ୍ୟୁ ବରଣ କରିବେ । ଏ ପୃଥିବୀ ବହୁଳାଂଶରେ ଜନମାନବ ଶୂନ୍ୟ ହୋଇଯିବ?

ସମ୍ପ୍ରତି କରୋନାର କରାଳ କାଳ ବଳୟ ମଧ୍ୟରେ ସବୁଠାରୁ ବେଶି ପ୍ରୟୋଜନ ଖାଦ୍ୟ । ଭୂତାଣୁ ନାଶ ପାଇଁ ବିଶ୍ୱରେ ଏପର୍ଯ୍ୟନ୍ତ କୌଣସି ମେଡିସିନ୍ ଉଦ୍‌ଭାବନ ହୋଇପାରିନି । ହୁଏତ ମେଡିସିନ୍ ଉଦ୍‌ଭାବନ ହେଲା ବେଳକୁ କରୋନା ତା’ର ରୂପ ବଦଳାଇ ଅନ୍ୟ ସହସ୍ର ଭୂତାଣୁ ଜନ୍ମ ନେଇ ସାରିଥିବ । ସମଗ୍ର ବିଶ୍ୱବାସୀ ଏ ଭୟଙ୍କର ମହାମାରୀ ବିରୁଦ୍ଧରେ ଲଢୁଥିବା ବେଳେ ପ୍ରାୟତଃ ସବୁଦେଶର ଅର୍ଥନୀତି ଧ୍ୱଂସମୁଖୀ । ସବୁଦେଶରେ ଅର୍ଥନୀତିକୁ ବଂଚେଇ ରଖିବା ପାଇଁ ନାନାପ୍ରକାର କୌଶଳ ଅବଲମ୍ବନ କରାଯାଉଛି । ସବୁ କୌଶଳ କାମ ଦେଉନି । ଅର୍ଥନୀତି ସହିତ ଜଡିତ ଥିବା ମଣିଷ ଛିନ୍ ଛତ ହୋଇ ଯାଇଛି । ଯିଏ ଯେଉଁଠି ଜୀବନ ଜୀବିକା ପାଇଁ ପଡିରହିଥିଲେ, ସେମାନେ ଆପଣା ଘରକୁ ବାହୁଡି ଆସୁଛନ୍ତି । ଏହାଦ୍ୱାରା ଏକ ଭୟଙ୍କର ଅର୍ଥନୈତିକ ସଂକଟ ଦେଖା ଦେଲାଣି । ସେମାନେ ଯେଉଁ ଯେଉଁ କଳକାରାଖାନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ କର୍ମରତ ଥିଲେ ସେମାନଙ୍କ ଅନୁପସ୍ଥିତ ସେସବୁ ଅନୁଷ୍ଠାନରେ ଅଚଳାବସ୍ଥା ସୃଷ୍ଟି କରିଛି । ପୁନଃଶ୍ଚ ସେମାନେ ଭିଟାମାଟିକୁ ଫେରି ଆସିଥିବାରୁ ଭୀଷଣ ଖାଦ୍ୟାଭାବ ଓ ନିଯୁକ୍ତିର ସାମ୍ନା କରୁଛନ୍ତି । ଉତ୍ପାଦନ କ୍ଷେତ୍ର ଭୀଷଣ ବାଧାପ୍ରାପ୍ତ । ଅଦୂର ଭବିଷ୍ୟତରେ ଅର୍ଥନୀତି ଭୟଙ୍କର କ୍ଷତି ଗ୍ରସ୍ତ ହେବାକୁ ଯାଉଛି । ଯେଉଁ ଦେଶର ଶାସକ ମାନେ ଯେତେ ବାହାସ୍ଫୋଟ ମାରନ୍ତୁ ନା କାହିଁକି, ସେମାନଙ୍କର ମୁଣ୍ଡ କାମ କରୁନଥିବାରୁ ସଠିକ୍ ନିଷ୍ପତି ନେଇ ପାରୁ ନାହାଁନ୍ତି । ଯାହାଫଳରେ ଗଚ୍ଛିତ ଥିବା ଧନ, ସମ୍ପଦ, ଖାଦ୍ୟ ସରିସରି ଆସୁଛି । ସମୟ ଆସୁଛି ସରକାର ମାନେ ହାତ ଟେକି ଦେବେ । ସେତେ ବେଳେ କିଏ କାହାକୁ ରକ୍ଷା କରିବ? ଅର୍ଥନୀତି ପରେ ରାଜନୀତି, ସମାଜନୀତି, ସଂସ୍କୃତି ସବୁ ଯାହା ଚାଲିଥିଲା, ଆଉ ସେଭଳି ଚାଲି ପାରିବନାହିଁ ।
ବର୍ତମାନ ମହାମାରୀ କରୋନା ଭୂତାଣୁକୁ ରୋକିବାକୁ ସମଗ୍ର ବିଶ୍ୱରେ କୌଣସି ନିଦାନ ବାହାରି ନଥିବାରୁ ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ପୃଥିବୀରେ ବିଭିନ୍ନ ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସଂଗରୋଧ, ମାସ୍କ ପ୍ରଭୃତି ବ୍ୟବହାର ଓ ଚିକିତ୍ସା ପାଇଁ କିଛି କିଛି ଔଷଧ ବ୍ୟବହାର କରା ଯାଉଛି । ଆମ ଭାରତ ସରକାର, ରାଜ୍ୟ ସରକାର ପ୍ରତିଦିନ ଭଗବାନଙ୍କୁ ଡାକୁଛନ୍ତି । ଲକ୍‌ଡାଉନ୍ ଆରମ୍ଭ ହେବା ଦିନଠୁ ଆଜି ପର୍ଯ୍ୟନ୍ତ କେବଳ ଆମ ଦେଶ ନୁହେଁ, ବିଶ୍ୱରେ ବିଭିନ୍ନ ଦେଶର ଅର୍ଥ ନୈତି କବ୍ୟବସ୍ଥା ଧ୍ୱଂସ ଆଡକୁ ଗତିକରୁଛି । ସାରା ବିଶ୍ୱକୁ ଏଭଳି ବିପଦ କେବେ ଦେଖା ଦେଇ ନଥିଲା । ପ୍ରତ୍ୟେକ ବିପଦକ ମୁକାବିଲା କରିବା ପାଇଁ କିଛି ନା କିଛି ଉପାୟ ନିଶ୍ଚୟ ଅଛି । କିନ୍ତୁ କରୋନା ମହାମାରୀକୁ ରୋକିବା ପାଇଁ କେବଳ ଲକ୍‌ଡାଉନ୍ ସମ୍ଭବ ନୁହେଁ । ଏ ଅଦୃଶ୍ୟ ଭୂତାଣୁ ବିରୁଦ୍ଧରେ ସମସ୍ତେ ମହା ଯୁଦ୍ଧ ଘୋଷଣା କରିଛନ୍ତି । ଯୁଦ୍ଧରେ ଶତ୍ରୁ ଅଦୃଶ୍ୟ । ବର୍ତମାନ ସାରା ପୃଥିବୀରେ ଯାହା କିଛି ଚାଲିଛି ସବୁ ଦେଶ ଓ ରାଜ୍ୟର ଶାସକ ମାନେ ହିଁତାଙ୍କ ବୁଦ୍ଧି ଅନୁସାରେ କାର୍ଯ୍ୟ କରୁଛନ୍ତି । କରୋନାର କରାଳକୁ ରୋକିବାକୁ ହେଲେ ଚିକିତ୍ସା ବିଜ୍ଞାନର ପରିକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ମୁକାବିଲାର ପଦ୍ଧତି ନିର୍ଦ୍ଧାରଣ କରିବା ଏକାନ୍ତ ଆବଶ୍ୟକ । କିନ୍ତ ୁବହୁଳାଂଶ ଅହଂକାରୀ ଶାସକ ମାନେ ଅନ୍ୟଠାରୁ ଉପଦେଶ ନେବାପାଇଁ ଅକ୍ଷମ । ଯାହା ଫଳରେ ଦିନ ଯେତେ ବଢୁଛି, ବିପଦ ସେତେ ବଢୁଛି ।

ବିଭିନ୍ନ ଦେଶର ଅର୍ଥନୀତି ବିତ୍‌, ବିଜ୍ଞ ଜନ, ବୈଜ୍ଞାନିକମାନେ ସତର୍କ କରିଦେଲେଣି ଯେ – କରୋନା ଭୂତାଣୁଠାରୁ ଲକ୍‌ଡାଉନ୍ ଅତ୍ୟନ୍ତ ଭୟାନକ । ୧୯୨୯ ମହା ମାନ୍ଦାବସ୍ଥାକୁ ୨୦୨୦ ମାନ୍ଦାବସ୍ଥା ବହୁଗୁଣରେ ବଢିଯିବ । ୨୦୨୧-୨୨ ବେଳକୁ ଏ ଧରାରୁ କିଛିଲୋକ ବିଦାୟ ନେଇ ଯାଇଥିବେ । ଘୋର ଆର୍ଥିକ ସଂକଟରେ କୋଟି କୋଟି ଲୋକ ସମ୍ମୁଖୀନ ହେବେ । ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟିହେବ । ରୋଗ ଆଉ ଭୋକରେ ଲୋକେ ଛଟପଟ ହେବେ । ଲୋକେ ମାଳ ମାଳ ହୋଇ ମୃତ୍ୟୁ ବରଣ କରିବେ ।

କରୋନାର କରାଳ କାଳ ବଳୟ ପରର ପୃଥିବୀରେ ଯେଉଁ ଇତିହାସ ଲେଖା ଯିବ – ତାହା ବିଶ୍ୱ ଇତିହାସର ମାଳ ମାଳ ପୃଷ୍ଠାରେ ଭର୍ତି ହୋଇ ଯାଇଥିବ । ନ’ଙ୍କ ଦୁର୍ଭିକ୍ଷବେଳର ଇତିହାସ ଲେଖିବା ପାଇଁ ଏତେ ଲେଖକ ନଥିଲେ । ଏବେ ଗଣ୍ଡା ଗଣ୍ଡା ଲେଖକ ପଣ୍ଡିତ ଅଛନ୍ତି । ଭିନ୍ନ ଭିନ୍ନ କଲମରୁ ନାନା ପ୍ରକାର ଲେଖାରେ ଇତିହାସ ବଖାଣିବ ଭୟଙ୍କର ମହାମାରୀ କାହାଣୀ । ଆଜି ଯେଉଁମାନେ ବାହାଦୁରି ଦେଖାଉଛନ୍ତି, ହୁଏତ କାଲି ସେମାନେ ଇତିହାସର ଅଳିଆ ଗଦାରେ ପଡିଥିବେ । ଇତିହାସ ବଡ ନିଷ୍ଠୁର । ସେ କାହାକୁ କ୍ଷମା ଦିଏନି । ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେନା ।

ତା’ହେଲେ ସତେ କ’ଣ ଏ ଜୀବ ଜଗତ ଜଡ ଜଗତରେ ଲୀନ ହୋଇଯିବ? ନା – ମଣିଷ ବଂଚିବ । ଏଇ ବିଶ୍ୱର ପାଖାପାଖି ଆଠ ଶହ କୋଟ ିମଣିଷଙ୍କ ଭିତରୁ ହୁଏତ ଅଧା ଅଧି ଲୋପ ପାଇ ଯାଇ ପାରେ । କିନ୍ତୁ ଯେଉଁ ମାନେ ବଂଚିବେ, ସେମାନେ ଏ ମହାବିପଦରୁ ଉତୀର୍ଣ୍ଣ ହୋଇ ସବୁ ଦୁର୍ଗୁଣ ଛାଡିବାକୁ ବାଧ୍ୟ ହେବେ । ହୁଏତ ସେତେବେଳକୁ ମହା କଳି କାଳ ଶେଷହୋଇ ପୁନଃଶ୍ଚ ସତ୍ୟ ଯୁଗ ଆରମ୍ଭ ହୋଇଯାଇଥିବ । ଏ ବିପଦ ସମୟରେ କଷ୍ଟ ଆଉ ମୃତ୍ୟୁକୁ ଆମେ ଭୟ କରିବାନି । ଯାହା ହେବାର ଥିବ ହେବ । ମୃତ୍ୟୁ ପୂର୍ବରୁ ଆମେ ଶହେ ଥର ମରିବା କାହିଁକି? ବେଳ ଆସିଯାଇଛି ଆମର ଯେତେ ସବୁ ଦୁର୍ଗୁଣକୁ ଛାଡି ସୁଗୁଣ ଆଦରି ନେବା, ତା’ହେଲେ ଆମେ ହେବା ଜଗତ ଜିତା ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ