କରୋନା ଭୂତାଣୁର ଷ୍ଟେବୁଲ କଲଚର ପ୍ରତିପାଦନରେ ସଫଳ

ନୂଆଦିଲ୍ଲୀ : ଭାରତ ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ଵାୟତ୍ତ ସଂସ୍ଥାନ ଭୁବନେଶ୍ଵରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ ଆଇଏଲଏସ ଭେରୋ ସେଲର ଉପଯୋଗ କରି ସଂକ୍ରମିତ ରୋଗୀଙ୍କ ନମୁନାରୁ କରୋନା ଭୂତାଣୁର ଭିଟ୍ରୋ କଲଚରକୁ ସଫଳତାପୂର୍ବକ ପ୍ରତିପାଦନ କରିବାରେ ସଫଳ ହୋଇଛି। ନିଷ୍କ୍ରିୟ ସମ୍ପୂର୍ଣ୍ଣ କୋଷିକା-ଆଧାରିତ ଟିକା ବିକଶିତ କରିବାରେ ସାରା ବିଶ୍ଵରେ ଭେରୋ ସେଲ କଲଚର ଟେକ୍ନୋଲୋଜିର ଉପଯୋଗ କରାଯାଉଛି। ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଭୂତାଣୁ ପ୍ରଭାବ ଥିବା ସ୍ଵାବ ନମୁନାରୁ ୧୭ଟି ଭାଇରସ କଲଚର ସଂଗ୍ରହ କରାଯାଇଛି। ଡ. ସୋନା ଚଟ୍ଟୋପାଧ୍ୟାୟ ଏବଂ ଡ. ଗୁଲାମ ଏଚ. ସୟିଦଙ୍କ ନେତୃତ୍ବରେ ଆଇଏଲଏସ ଟିମ ଏସବୁ ଭାଇରସ କଲଚରର ପ୍ରତିପାଦନ ସଫଳତା ପୂର୍ବକ ସମ୍ପନ୍ନ କରିଛି। ବିଏସଏଲ ୩ ସୁବିଧାରେ ସମସ୍ତ ଅନ୍ତର୍ଜାତୀୟ ପ୍ରୋଟୋକଲ ଏବଂ ସତର୍କତା ଅବଲମ୍ବନ କରାଯାଇ ଏହା ସମାପନ କରାଯାଇଛି। ଆଇଏଲଏସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି, “ଏହା ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି କାରଣ ବର୍ତ୍ତମାନସୁଦ୍ଧା ଭାରତରେ ମାତ୍ର ତିନୋଟି ପରୀକ୍ଷାଗାରରେ ଭାଇରସ କଲଚର ପ୍ରତିପାଦନ କରାଯାଇପାରିଛି। ସମ୍ଭାବ୍ୟ ଔଷଧର ପ୍ରସ୍ତୁତି, ପ୍ରୟୋଗ ସହିତ ଟିକା ବିକାଶ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ। ସାର୍ସ-କୋଭ-୨ କଲଚର ହେବା ପରେ ଏହାକୁ ଆଣ୍ଟିବଡି କିମ୍ବା ଆଣ୍ଟି-ଡଟ ବିକଶିତ କରିବା, ଆଣ୍ଟିବଡ଼ି ପରୀକ୍ଷଣ ଏବଂ ପ୍ରଭାବୀ ଚିକିତ୍ସା ପଦ୍ଧତି ବିକାଶରେ ଉପଯୋଗ କରାଯାଇପାରିବ। ଡ. ପରିଡ଼ା ବିଶ୍ଵାସ ପ୍ରକଟ କରି କହିଛନ୍ତି ଯେ ଦେଶରେ କୋଭିଡ ମହାମାରୀ ମୁକାବିଲା ଏବଂ ଭବିଷ୍ୟତର ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ଉପଯୋଗୀ ସମ୍ବଳ ହୋଇପାରିବ। ଭବିଷ୍ୟତରେ ଏହି ଭାଇରାଲ କଲଚର ଗବେଷକଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ। ଏଥିସହିତ କୋଭିଡ-୧୯ ମହାମାରୀର ନିଦାନ, ଚିକିତ୍ସା ଓ ପରିଚାଳନା ଲାଗି ପରୀକ୍ଷଣ ତଥା ବିଭିନ୍ନ ଆଣ୍ଟିଭାଇରାଲ ଉତ୍ପାଦ ପ୍ରସ୍ତୁତିରେ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ବିଶେଷ ସହାୟକ ହୋଇପାରିବ। ଏପ୍ରିଲ ପରଠାରୁ କୋଭିଡ ପରୀକ୍ଷା ବୃଦ୍ଧିରେ ଆଇଏଲଏସ ରାଜ୍ୟ ସରକାରଙ୍କୁ ଲଗାତାର ସହାୟତା କରି ଆସିଛି। ପାଖାପାଖି ୨୬ଟି ଜିଲ୍ଲାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନମୁନା ଏଠାରେ ପରୀକ୍ଷା କରାଯାଇଛି। କୋଭିଡ ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟକୁ ବୃଦ୍ଧି କରିବା ଲାଗି କ୍ଲିନିକାଲ ନମୁନାଗୁଡ଼ିର ଏକ ବାୟୋରେସ୍ପୋଜିଟୋରୀ ପ୍ରତିଷ୍ଠା କରିବା ଲାଗି ଦେଶର ୧୬ଟି ସଂସ୍ଥାନ ମଧ୍ୟରେ ଆଇଏଲଏସକୁ ଚୟନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ