କୋଭିଡର ମୁକାବିଲା ପାଇଁ ଆରସିଏଫ୍‌ ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଲଢେଇରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର ଆରସିଏଫ୍‌ ଏକ ହାତଧୁଆ ଆଇପିଏ ଜେଲ୍‌ ପ୍ରସ୍ତୁତ କରିଛି । ଏହାର ନାମ ରଖାଯାଇଛି ଆରସିଏଫ୍‌ ସେଫ୍‌ରୁଲା । ଆରସିଏଫ୍‌ ତଥ୍ୟ ଅନୁସାରେ ଏହି ଜେଲ୍‌ରେ ହାତ ଧୋଇଲେ ଚର୍ମ ନିରାପଦ ରହିବ । ଏହା ଏକ ଜଳୀୟବାଷ୍ପ ଭିତ୍ତିକ ହ୍ୟାଣ୍ଡସାନିଟାଇଜର । ଏଥିରେ ଆଇସୋ ପ୍ରୋପାଇଲ ଆଲ୍‌କହଲ ଆଇପିଏ ଏବଂ ଆଲୋଭେରା ବା ଘିକୁଆଁରି ରସ ରହିଛି । ଏଥିରେ ଭିଟାମିନ-ଇ ରହିଥିବାବେଳେ ଏହାର ବାସ୍ନା ଲେମ୍ବୁପରି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ଜେଲ୍‌କୁ ୫୦ ଓ ୧୦୦ମିଲିଲିଟର ବୋତଲରେ ବିକ୍ରୟ ପାଇଁ ବଜାରକୁ ଛାଡିବ । ୫୦ଏମ୍‌ଏଲ୍‌ ବୋତଲର ଦାମ ୨୫ଟଙ୍କା ଓ ୧୦୦ଏମ୍‌ଏଲ୍‌ ବୋତଲର ଦାମ ୫୦ଟଙ୍କା ରଖାଯାଇଛି । କଂପାନୀ ପକ୍ଷରୁ ଏହି ସର୍ବାଧିକ ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ନିଜର ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଆରସିଏଫ୍‌ ଏହି ଜେଲକୁ ସାରା ଦେଶରେ ବିକ୍ରି ପାଇଁ ଉପଲବ୍‌ଧ କରାଇବ । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦେଶରେ ଏବେ ହ୍ୟାଣ୍ଡ ସାନିଟାଇଜରର ଚାହିଦା ବଢିଛି । ଏହି ଆବଶ୍ୟକତା ପୂରଣ ପାଇଁ ସ୍ୱଳ୍ପ ମୂଲ୍ୟରେ ଆରସିଏଫ୍‌ ଏହି ନିରାପଦ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରି ସରକାରଙ୍କୁ ଏହି ଲଢେଇରେ ଏକ ଛୋଟ ସହାୟତା ଯୋଗାଇଛି । ଆରସିଏଫ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏସ୍‌.ସି. ମୁଡ୍‌ଗେରିକର କହିଛନ୍ତି ଯେ ତାଙ୍କ କଂପାନୀ ଦେଶବାସୀଙ୍କ ପାଇଁ ଆଇପିଏ ଜେଲ୍‌ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଥିବା ଏକ ଆନନ୍ଦର ବିଷୟ । ଏହି ଜେଲ୍‌ ନିରାପଦ ଏବଂ ଏହାର ନାମ ରଖାଯାଇଛି ଆରସିଏଫ୍‌ ସେଫ୍‌ରୁଲା । କରୋନା ସଂକ୍ରମଣ ରୋକିବାରେ ଏହା ଯତ୍‌କିଂଚିତ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆରସିଏଫ୍‌ ଏକ ‘ମିନିରତ୍ନ’ କଂପାନୀ । ଏହା ସାର ଓ ରାସାୟନିକ ପଦାର୍ଥର ପ୍ରମୁଖ ଉତ୍ପାଦନକାରୀ । ୟୁରିଆ, ବିଭିନ୍ନ ଯୌଗିକ ସାର, ଜୈବିକ ସାର, ବିଭିନ୍ନ ପ୍ରକାରର ଉର୍ବରକ ଏବଂ ଶିଳ୍ପ କାରଖାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟ ଉତ୍ପାଦନ କରିଥାଏ । ଊଜ୍ଜ୍ୱଳା ୟୁରିଆ ଓ ସୁଫଳା ଯୌଗିକ ସାର ଏହି କଂପାନୀର ଦୁଇଟି ଅତି ଲୋକପ୍ରିୟ ଉତ୍ପାଦ, ଯାହା ଘରେ ଘରେ ପରିଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ