କରୋନା ଯୁଦ୍ଧରେ ବ୍ରହ୍ମପୁର ଡାକମଣ୍ଡଳର ଅଗ୍ରଣୀ ଭୂମିକା
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁରୁ କିପରି ଲୋକମାନେ ଦୁରେଇ ରହିବେ ଏବଂ ସୁରକ୍ଷିତ ରହିବେ, ସେଥିନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ ସହିତ ଆଂଶିକ ସଟଡାଉନ ମଧ୍ୟ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତେ ଘରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି l ଏହା ସହ ଅତ୍ୟାବଶ୍ୟକ ନଥିଲେ ଘରୁ ନବାହାରିବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ସମସ୍ତେ ମାସ୍କ ପିନ୍ଧିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ସାଧାରଣ ଗରିବ ଲୋକମାନେ ଲକଡାଉନ ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆଗୁଆ ରାସନ ସାମଗ୍ରୀ ସହିତ ସହାୟତା ପ୍ରଦାନ କରାଯାଉଛି l ହେଲେ ସୁଦ୍ଧା ସେମାନଙ୍କ ଗୁଜରାଣ ମେଂଟାଇବା ନିମନ୍ତେ ବହୁ କଷ୍ଟସାଧ୍ୟ ହେଉଛି । ଏପରିପ୍ରେକ୍ଷୀରେ ଡାକ ବିଭାଗ ଆଉ ପାଦେ ଆସି ଗରିବ ନିରାଶ୍ରୟ ନିମନ୍ତେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଥିବା ନଜରକୁ ଆସିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ମହମ୍ମଦ ଜାଫର ସାଦିକଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁରର ସହକାରୀ ଡାକ ଅଧିକ୍ଷକ କିରଣବାଳା ପଣ୍ଡା ଓ ବିଜିନେସ୍ ଏକ୍ଜ୍ୟୁଟିଭ ଗୌରହରି ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମଙ୍ଗଳବାର ଛତ୍ରପୁର ସହରର ନୂଆସାହି ଓ ଇନ୍ଦିରାବାସ କଲୋନୀର ଲୋକମାନଙ୍କ ଘରକୁ ଘର ଯାଇ ଡାକବିଭାଗର କର୍ମଚାରୀମାନେ ସାନିଟାଇଜରରେ ହାତ ସଫା କରି ସମଦୂରତାରେ ରହି ସେମାନଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଂଟନ କରିଛନ୍ତି । ଏହାସହ ଘରେ ରହିବା ସହ ନିଜେ ସୁରକ୍ଷିତ ରହିବା ଏବଂ ଅନ୍ୟକୁ ସୁରକ୍ଷିତ ରଖିବା ଉପରେ ସଚେତନତା କରାଇଥିଲେ । ଏଥିରେ ପୋଷ୍ଟାଲ ଓଭରସିୟର ନଳିନୀକାନ୍ତ କର ଓ ପ୍ରକାଶ ପଲାଇ, ପୋଷ୍ଟମାଷ୍ଟର ରବୀନ୍ଦ୍ରନାଥ ମଲ୍ଲିକ, ଟି.ପ୍ରଦୀପ କୁମାର ଦାସ,ପ୍ରତିଭା ପଣ୍ଡା, ପୋଷ୍ଟାଲ ଆସିଷ୍ଟାଂଟ ତପନ ସାହୁ, ପୋଷ୍ଟମ୍ୟାନ ଦେବରାଜ ନାୟକ, ଆରତି ତରାଇ, ସୁବାସ ଭୂୟାଁ ଓ ବିପିଏମ୍ ସିଦ୍ଧାର୍ଥ ମହାପାତ୍ରଙ୍କ ସମେତ ବହୁ କର୍ମଚାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଡାକବିଭାଗ ପକ୍ଷରୁ ଜିଲ୍ଲାର ବହୁ ଗ୍ରାମାଂଚଳଗୁଡ଼ିକରେ ଗରିବ ଶ୍ରେଣୀର ଲୋକମାନଙ୍କୁ ଏହି ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ବୋଲି ବିଜିନେସ ଏକଜ୍ୟୁଟିଭ ଗୌରହରି ପଣ୍ଡା ସୂଚନା ଦେଇଛନ୍ତି ।


