କରୋନା ଲକଡାଉନ ସମୟରେ ବୁଲାକୁକୁରଙ୍କୁ ଖାଦ୍ୟ ଯୋଗାଉଛନ୍ତି ସମୀର
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଦୀର୍ଘ୪ମାସ ଧରି ମହାମାରୀ କରୋନା ସାରା ଭାରତ ସମେତ ଓଡିଶାରେ ମଧ୍ୟ କାୟାବିସ୍ତାର କରିଚାଲିଛି । ଫଳରେ ଲୋକମାନେ ସେମାନଙ୍କ ବେଉସା ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଛନ୍ତି । ଗାଁ ଠାରୁ ଆରମ୍ଭକରି ସହର ଓ ଅଫିସ ପର୍ଯ୍ୟନ୍ତ ସବୁଠି କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ଏଥିରୁ ବା ବୁଲାକୁକୁର ଗୁଡିକ ବାଦ ଯିବେ କେମିତି । କରୋନାଜନିତ ଲକଡାଉନ ଲାଗିରହିଥିବାରୁ ହୋଟେଲ, ରେଷ୍ଟୁରାଂଟ ପର୍ଯ୍ୟନ୍ତ ସବୁ ବନ୍ଦ ହୋଇଯାଇଛି । ଫଳରେ ବୁଲା କୁକୁର ଗୁଡିକ ଖାଦ୍ୟାଭାବରୁ ଆଉଟୁ ପାଉଟୁ ହେଉଥିବା ବେଳେ ସମାଜସେବୀ ସମୀର କୁମାର ଚାନ୍ଦ ସେମାନଙ୍କ ପାଇଁ ଯେମିତି ଦେବଦ୍ୱତ ସାଜି ପହଁଚିଯାଇଛନ୍ତି । ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁରମାନଙ୍କୁ ଶୁଖିଲା ଖାଦ୍ୟ ଦେଉଛନ୍ତି ସମୀର । ସମୀରଙ୍କ ଠାରୁ ଦେଖି ତାଙ୍କ କୁନି କୁନି ପୁଅ ଓ ଝିଅ ମଧ୍ୟ ଏହି ବୁଲା କୁକୁରମାନଙ୍କୁ ଶୁଖିଲା ଖାଦ୍ୟ ଦେବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । କଥାକହି ପାରୁନଥିବା ଏହି ବୁଲା କୁକୁରମାନଙ୍କୁ ଏଭଳି ଅସମୟରେ ଖାଦ୍ୟ ଯୋଗାଇଦେଇ ସମୀର ସାରା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି ।