କଲ୍ୟାଣ ମଣ୍ଡପକୁ ଶ୍ରୀଜୀୟୁଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ପାଇଁ ପୂର୍ତ୍ତ ବିଭାଗ ନିର୍ଦେଶ ଦେଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶେଷରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀୟୁଙ୍କର ସାନ୍ତସାହି ଠାରେ ନିର୍ମିତ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯିବାକୁ ରାଜ୍ୟ ଦେବୋତ୍ତର ବିଭାଗର ଡେପୁଟୀ କମିଶନରଙ୍କ ଛାଟ ବାଜିବା ପରେ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ନିର୍ଦେଶ ଦେଇଛନ୍ତିି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଜୀୟୁଙ୍କ ସ୍ଥିତିବାନ ଜମି ଉପରେ କେନ୍ଦ୍ରାପଡା ସହରର ସାନ୍ତସାହି ଠାରେ ନିର୍ମିତ୍ତ ଶ୍ରୀବଳଦେବଜୀୟୁଙ୍କ କଲ୍ୟାଣ ମଣ୍ଡପକୁ ଜିଲ୍ଲା ପ୍ରଶାସନ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ପୈାର ପରିଷଦକୁ ହସ୍ତାନ୍ତର କରିଦେବାକୁ ନିର୍ଦେଶ ଦେଇଥିଲା । ଏଭଳି ଘଟଣାକୁ ନେଇ ସେତେବେଳେ ଶ୍ରୀଜୀୟୁଙ୍କ ସେବାୟତ, ଟ୍ରଷ୍ଟବୋର୍ଡ ସଦସ୍ୟ, ବଳଦେବ ସେନା ଓ ଶ୍ରୀଜୀୟୁଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲା ପ୍ରସାଶନର ଏଭଳି ବେଆଇନ ନିର୍ଦେଶ ବିରୋଧରେ ରାଜ୍ୟ ଦେବୋତ୍ତର ବିଭାଗ ସମେତ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏସବୁ ଘଟଣା ସମ୍ପର୍କରେ ରାଜ୍ୟ ଦେବୋତ୍ତର ବିଭାଗ ଅବଗତ ହେବା ପରେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏଭଳି ବେଆଇନ ଓ ଆଇନ ବିରୋଧୀ କାର୍ଯ୍ୟ ନକରିବାକୁ ନିର୍ଦେଶ ଦେବା ସହିତ ଶ୍ରୀଜୀୟୁଙ୍କ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରିବାକୁ ପତ୍ର ସଂଖ୍ୟା -୧୦୨୫୬ ତା ୯.୧୨.୨୦୨୨ରିଖରେ ଦେବୋତ୍ତର ବିଭାଗର ଡେପୁଟୀ କମିଶନର ନିର୍ଦେଶ ଦେଇଥିଲେ । ସେହି ଅନୁଯାୟୀ କେନ୍ଦ୍ରାପଡା ପୂର୍ତ୍ତ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀବଳଦେବଜୀୟୁ ଦେବୋତ୍ତର ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା – ୧୬୭୯ ତା ୧୪.୧୨.୨୦୨୨ରିଖରେ ଏକ ପତ୍ର ଲେଖି ସଂପୃକ୍ତ କଲ୍ୟାଣ ମଣ୍ଡପକୁ ଗ୍ରହଣ କରିବାକୁ କହିଛନ୍ତି ।