‘କଳାକାର’ଶିଶୁ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡିଶା ଭାଷା ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ନାଟ୍ୟାନୁଷ୍ଠାନ ‘କଳାକାର’ ପକ୍ଷରୁ ସ୍ଥାନୀୟ ଟାଉନହଲରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଦ୍ୱିତୀୟ ସଂଧ୍ୟାର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମହାପାତ୍ର ଉଦଘାଟନ କରିଥିଲେ । ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ ଓ ସଂଗୀତ ନାଟକ ଏକାଡେମୀ ସଦସ୍ୟ ହେମେନ୍ଦ୍ର ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ‘କଳାକାର’ର ବରିଷ୍ଠ ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମହାନ୍ତି ଏଥିରେ ପୌରୋହିତ୍ୟ କରିଥିଲେ । ସଭ୍ୟ ସୁଶାନ୍ତ କୁମାର ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଶ୍ରୀତମ କୁମାର ସିଂହ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ସଂଧ୍ୟାରେ ନାଟକ ମଞ୍ଚସ୍ଥ ହୋଇଥିଲା । ଯାଜପୁର ରଂଗଭୂମି ବିଦ୍ୟାଳୟ ପକ୍ଷରୁ ପ୍ରଥମ ନାଟକ ‘ପିଲା ନୁହେଁ ସିଏ ମଣିଟିଏ’, ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ ପକ୍ଷରୁ ଦ୍ୱିତୀୟ ନାଟକ ‘ପ୍ରମୋଶନ’ବାଲିଖଣ୍ଡ ଉଚ୍ଚବିଦ୍ୟାଳୟ ତରଫରୁ ‘ଗୁରୁ’ ଓ ଅଙ୍ଗାରଗଡ଼ିଆ ଶ୍ରୀ ସତ୍ୟସାଇ ବିଦ୍ୟାଳୟ ପକ୍ଷରୁ ଚତୁର୍ଥ ନାଟକ ‘ବାପାଙ୍କ ଜନ୍ମଦିନ’ ମଞ୍ଚସ୍ଥ ହୋଇଥିଲା । ସାମାଜକୁ ବାର୍ତ୍ତା ଦେଉଥିବା ଏହି ୪ ନାଟକର ପିଲାଙ୍କ ଅଭିନୟ ବେଶ ଉଚ୍ଚକୋଟିର ହୋଇଥିବା ଦର୍ଶକମାନେ ମତ ଦେଇଥିଲେ ।


