କହିବା କାହାକୁ – ଶୁଣିବ କିଏ ? ପରିତ୍ୟକ୍ତ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କୋମଳମତି ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଓ ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସଭିଏଁ ପଢନ୍ତୁ- ସଭିଏଁ ବଢନ୍ତୁ ନାରା ଦେଇ ବିଭିନ୍ନ ଉପାୟରେ ଶିକ୍ଷାରୁ କେହି ବି ଯେମିତି ବଂଚିତ ନହେବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ବହୁ ଆଇନ ପ୍ରଣୟନ କରାଯାଇଛି । ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ମଧ୍ୟାନ୍ନ ଭୋଜନ, ପାଠ୍ୟପୁସ୍ତକ, ଛାତ୍ରବୃତି, ଜୋତା ଓ ପୋଷାକ ବିତରଣ, ସାଇକେଲ ପ୍ରଦାନ, ଲାପଟପ ପ୍ରଦାନ କରୁଛନ୍ତି । ପରିତାପର ବିଷୟ କୋଳମତି ଶିଶୁ ମାନେ ଯେଉଁଠାକୁ ଶିକ୍ଷା ଅଧ୍ୟୟନ କରିବାକୁ ଯିବେ ସେଠାକାର ଭିତିଭୂମି ଓ ବିଦ୍ୟାଳୟର ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଏଭଳି ପରିତ୍ୟକ୍ତ ଶ୍ରେଣୀ ଗୃହରେ ଶିକ୍ଷା ଅଧ୍ୟୟନ କରୁଥିବା ସମୟରେ ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଦାୟୀ ରହିବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ଭାରତ ସ୍ୱାଧିନତା ଲାଭ କରିବାର ପୁର୍ବ ବର୍ଷ ଅର୍ଥାତ ୧୯୪୬ ମସିହାରେ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପରବର୍ତୀ ସମୟରେ ୨୦୦୧ ମସିହାରେ ତକ୍ରଳଳୀନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଓ ତାଙ୍କରି ପତ୍ନି ତଥା ତକ୍ରାଳୀନ ଆସିକା ସାଂସଦ କୁମୁଦିନି ପଟ୍ଟନାୟକଙ୍କ କରକମଳରେ ନୂତନ ଶ୍ରେଣୀ କୋଠାର ଶୁଭ ଉଦଘାଟନ କରାଯାଇଥିଲା । ବର୍ତମାନ ରାଳବ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀରେ ୩୦୨ ଜଣ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବା ବେଳେ ୯ ଜଣ ଶି’କ, ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି । ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ କାନ୍ଥ ଗୁଡ଼ିକ ଫାଠି ଆଁ କରିବାକୁ ବସିଲାଣି । ସ୍କୁଲ ପାଚେରୀ ଭାଙ୍ଗି ଯାଇଥିବାରୁ ବିଦ୍ୟାଳୟ ଛୁଟି ପରେ ଗ୍ରାମର ବହୁ ଜନସାଧାରଣ ଅବାଧରେ ବିଦ୍ୟାଳୟ ପରିସରରେ ଆଡ୍ଡା ଜମାଉଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହରେ ବିପଦଜନକ ଅବସ୍ଥାରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି । ଉକ୍ତ ଶ୍ରେଣୀ ଗୃହଟି ଯେ କୌଣସି ମୁହୁର୍ତରେ ଭୂଷୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ଶିକ୍ଷାର୍ଥୀ ମାନଙ୍କ ଜୀବନ ବିପନ୍ନ ହେବାର ସମ୍ଭାବନା ରହିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବିଦ୍ୟାଳୟର ଅବସ୍ଥା ଏପରି ହୋଇଥିବା ବେଳେ ସାରା ରାଜ୍ୟର କଥା ସହଜେ ଅନୁମେୟ । ଘଟଣା ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ବିଦ୍ୟାଳୟ ପାଚେରୀ ନିର୍ମାଣ ସକାଶେ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ । ଏ ନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟ ଶ୍ରେଣୀ ଗୃହ ପ୍ରକୋଷ୍ଠ ମରାମତି କାର୍ଯ୍ୟ ଡ଼ିପିସିଙ୍କ ଦାୟିତ୍ୱ ଆମରି ନୁହେଁ, ତଥାପି ଘଟଣା ପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଷ୍ଠୀ ଶିକ୍ଷାଧିକାରୀ ଉମା ଚରଣ ତ୍ରିପାଠିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଘଟଣା ବିଷୟରେ ସେ ଅବଗତ ନୁହନ୍ତି, ଘଟଣା ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରି ତୁରନ୍ତ ଘଟଣା ପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।


