କାଜୁ ଉଦ୍ୟୋଗ ପାଇଁ ଆଶା ସଂଚାର ଆତ୍ମ ନିର୍ଭର ଭାରତ ଯୋଜନା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ଯୋଜନାରେ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ୧୦ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ଏହି କ୍ଷେତ୍ର ବିଶେଷ କରି କାଜୁ ପ୍ରକ୍ରିୟାକରଣ ଶିଳ୍ପ ସହ ଜଡ଼ିତ ଅଂଶୀଦାରମାନେ ସ୍ୱାଗତ କରିଛନ୍ତି । କରୋନା ମହାମାରୀ ସଂକ୍ରମଣ କାରଣରୁ ଜାରି ହୋଇଥିବା ଲକଡାଉନ ଦ୍ୱାରା ଏହି ଉଦ୍ୟୋଗ ସହ ଜଡ଼ିତ ଉଦ୍ୟୋଗୀ, ଚାଷୀ ଓ ବ୍ୟବସାୟୀମାନେ ପ୍ରଭାବିତ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଏବେ ସେମାନଙ୍କ ପାଇଁ ନୂଆ ଆଶା ନେଇ ଆସିଛି । ନବରଙ୍ଗପୁର ଜିଲ୍ଲାର ଜଳବାୟୁ କାଜୁ ଚାଷ ପାଇଁ ବେଶ ଉପଯୋଗୀ । ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୪ହଜାର ମେଟ୍ରିକ ଟନ କାଜୁ ଚାଷ ହୋଇଥାଏ । କିନ୍ତୁ କରୋନା ମହାମାରୀଜନିତ ଲକଡାଉନ କାରଣରୁ କାଜୁ ଶିଳ୍ପ ଏକପ୍ରକାର ଠପ ହୋଇଯାଇଥିଲା । ମୃତପ୍ରାୟ ଅବସ୍ଥାକୁ ଚାଲିଆସିଥିବା କାଜୁ ଶିଳ୍ପ ପାଇଁ ସଞ୍ଜିବନୀ ହୋଇ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ପ୍ୟାକେଜ । ବର୍ତମାନ କାଜୁ ଅମଳର ସମୟ । ଜିଲ୍ଲା ଜନଜାତିଙ୍କ ପାଇଁ ଏହି ସମୟରେ କାଜୁ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ସୁଯୋଗ ସୃଷ୍ଟି ହୋଇଥାଏ । ତେବେ କାଜୁ ଶିଳ୍ପ ବନ୍ଦ ଥିବାରୁ ସେମାନଙ୍କ ରୋଜଗାର ବି ବନ୍ଦ ହୋଇଯାଇଥିଲା । ଏହାଛଡ଼ା କାଜୁ ମିଲରେ କାମ କରୁଥିବା ଦିନ ମଜୁରିଆମାନେ ମଧ୍ୟ କାମ ଧନ୍ଦା ନପାଇ ଘରେ ହାତ ବାନ୍ଧି ବସି ରହିଥିଲେ । ଏବେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ନିଶ୍ଚିତ ରୂପେ ସେମାନଙ୍କ ପାଇଁ ପୁଣିଥରେ ରୋଜଗାର ସୁଯୋଗ ଆଣି ଦେବ ବୋଲି ନବରଙ୍ଗପୁର ତାରାତାରିଣୀ କାଜୁ ଫ୍ୟାକ୍ଟ୍ରିର ମାଲିକ ସଚ୍ଚିଦାନନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି । ଏହି ପ୍ୟାକେଜ କ୍ଷତି ଭରଣା କରିବାରେ ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆହୁରି କେନ୍ଦ୍ର ସରକାରଙ୍କ ପ୍ୟାକେଜରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ନବରଙ୍ଗପୁର ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆସୁଥିବାରୁ ଏହି ପ୍ୟାକେଜ ଜିଲ୍ଲା ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହି ଉଦ୍ୟୋଗର ଅଂଶୀଦାରମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାର ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଔପଚାରିକରଣ ନିମନ୍ତେ ୧୦ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଜରିଆରେ ୨ ଲକ୍ଷ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଏଫଏସଏଆଇ ଖାଦ୍ୟ ମାନକ ହାସଲ ନିମନ୍ତେ ବୈଷୟିକ ଉନ୍ନତିକରଣ, ବ୍ରାଣ୍ଡ ସୃଷ୍ଟି ଓ ବିପଣନ ସୁବିଧା ପ୍ରଦାନ କରାଯିବ । ବର୍ତମାନର ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ, କୃଷ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମବାୟ ସଂସ୍ଥାଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ । ଏଥିରେ ମହିଳା, ଏସସିଏସଟି ମାଲିକାନାରେ ଥିବା ଉଦ୍ୟୋଗ ତଥା ଆକାଂକ୍ଷୀ ଜିଲ୍ଲା ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯିବ । ସେହିପରି କ୍ଲଷ୍ଟର ଆଧାରିତ ଆଭିମୁଖ୍ୟ ଅର୍ଥାତ ଆଂଚଳିକତା ଭିତିରେ ବହୁଳ ଉତ୍ପାଦିତ ସାମଗ୍ରୀକୁ ଆଖିଆଗରେ ରଖି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯିବ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ